ନିଲମ୍ବନର ପ୍ରତିବାଦ: ଗୁରୁଦିବସରେ ଆତ୍ମ ଉତ୍ସର୍ଗ କରିବେ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ଖୋର୍ଦ୍ଧା ଅଫିସ, ୩।୯: ନିଲମ୍ବନର ପ୍ରତିବାଦ କରି ଗୁରୁଦିବସରେ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ (ଡିପିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବ୍ଲକ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିତା ନନ୍ଦ ଖାଡଙ୍ଗା ଆତ୍ମ ଉତ୍ସର୍ଗ କରିବେ ବୋଲି ଚେତାବନୀ ଦେଇଛନ୍ତି। କଳଙ୍କ ଓ ବଦନାମରୁ ମୁକ୍ତି ପାଇଁ ପ୍ରଧାନ ଶିକ୍ଷକ ଏ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ ମଙ୍ଗଳବାର କହିଛନ୍ତି।

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ, ଖୋର୍ଦ୍ଧା ବ୍ଲକ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖାଡଙ୍ଗା ଓ ସହକାରୀ ଶିକ୍ଷକ ବିଦୂ ଭୂଷଣ କରଙ୍କୁ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନିଲମ୍ବନ କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଅଗଷ୍ଟ ୨୧ରେ ଡିପିସି ଜାଗୁଳାଇପାଟଣା ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ତେବେ ତଦନ୍ତ ବେଳେ ଅନୁପସ୍ଥିତ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପରେ ବିଳମ୍ବରେ ସ୍କୁଲକୁ ଆସିଥିଲେ। ଅନ୍ୟପକ୍ଷେ ନିୟମିତ ବିଦ୍ୟାଳୟକୁ ଉଭୟ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ବିଳମ୍ବରେ ଆସୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ଏ ସମ୍ପର୍କରେ ଡିପିସି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଦ୍ୱୟଙ୍କ ଅଭ୍ୟାସଗତ ଅନୁପସ୍ଥିତ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ବ୍ଲ୍ଳକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଥିବା ଡିପିସି ଅମିତା ପଟ୍ଟନାୟକ ସୂଚନା ଦେଇଥିଲେ। ନିଲମ୍ବନ ପରେ ପ୍ରଧାନ ଶିକ୍ଷକ ଖାଡଙ୍ଗା କହିଛନ୍ତି, ଡିପିସି ତଦନ୍ତ କରିବା ଦିବସରେ ସେ ସ୍କୁଲ କାର୍ଯ୍ୟରେ ନିୟୋଜିତ ଥିଲେ। ହେଲେ ବିଳମ୍ବର କାରଣ ପଚରା ଯାଇ ନ ଥିଲା। ଏପରି କି ବିଳମ୍ବର କାରଣ ନେଇ କାରଣ ଦର୍ଶାଅ ନୋଟିସ୍‌ କରାଯାଇ ନ ଥିଲା। ତେବେ ଗଣମାଧ୍ୟମରୁ ନିଲମ୍ବନ ନେଇ ଜାଣିଲି। ପରେ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିୟୋଜିତ କରିଛନ୍ତି।

Share