ଯୋଡ଼ା, ୧୯।୧(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖଣି ନିଲାମ ପ୍ରକ୍ରିୟା। ଏଭଳି ସ୍ଥିତିରେ ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି ଗୁଡିକର ଶ୍ରମିକ , ପରିବହନ ଟ୍ରକର ଡ୍ରାଇଭର ଓ ହେଲପର କିପରି ପୁନଃ ଖଣି ଖୋଲିଲେ ନିଯୁକ୍ତି ଓ ଥଇଥାନ ପାଇପାରିବେ ସେନେଇ ଚିନ୍ତାରେ ଅଛନ୍ତି। ଏପରିକି ଶ୍ରମିକ ସଂଘ ଏଆଇଟିୟୁସି ପକ୍ଷରୁ ଜାନୁୟାରୀ ୨୦ ତାରିଖରେ ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଧାରଣା ଦେବାର ଆହ୍ବାନ ଦିଆଯାଇଛି। ଏଆଇଟିୟୁସି ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ମହେଶ୍ୱର ରାଉତ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାରେ କେନ୍ଦୁଝର ଓ ସୁନ୍ଦରଗଡ ଜିଲାରେ ଚାଲୁଥିବା ୨୦ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଉକ୍ତ ଖଣିଗୁଡିକ ବନ୍ଦ ହୋଇଯିବ ା ବନ୍ଦ ହେବାକୁ ଥିବା ବଡ ଖଣି ଯଥା- ଏସେଲ୍ ମାଇନିଂ, ରୁଙ୍ଗଟା ଖଣି, ସିରାଜୁଦ୍ଦିନ୍ ଖଣି ଓ କେଜେଏସ୍ ଆଲୁଓ୍ବାଲିଆ ଖଣିରେ ହଜାର ହଜାର ଶ୍ରମିକ କାର୍ଯ୍ୟରତ ଅଛନ୍ତି।
ସରକାରଙ୍କ ନିଲାମ ପ୍ରକ୍ରିୟାରେ ଉକ୍ତ ଖଣିଗୁଡିକରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ନୂତନ ଲିଜ୍ଧାରୀମାନେ ବାଧ୍ୟତାମୂଳକ ନିଯୁକ୍ତି ଦେବା ପାଇଁ କୌଣସି ସର୍ତ୍ତ ସରକାରଙ୍କ ପକ୍ଷରୁ କରାଯାଇନାହିଁ ା ନିଲାମ ପରେ ସରକାରୀ ବୈଧାନିକ ଅନୁମୋଦନର ଆବଶ୍ୟକତା ରହିଥିବାରୁ ପୁନଃ ଖଣି ଖୋଲିବା ପାଇଁ ଦୀର୍ଘ ସମୟ ଲାଗିବା ଆଶଙ୍କା ରହିଛି। ତେବେ ଏହି ସମୟ ମଧ୍ୟରେ କାର୍ଯ୍ୟରତ ଶ୍ରମିକଙ୍କୁ ନୂତନ ଲିଜ୍ ଧାରୀମାନେ ବାଧ୍ୟତାମୂଳକ ଦରମା ଦେବା ପାଇଁ ସରକାରଙ୍କ ନିକଟରେ ସଂଘ ପକ୍ଷରୁ ଦାବି କରାଯାଇଛି ା ବଣ ଜଙ୍ଗଲଭରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖଣିଗୁଡିକ ଥିବାରୁ ଏଠାକାର ସ୍ଥାନୀୟ ଆଦିବାସୀମାନେ ପ୍ରାୟତଃ ଖଣି ଉପରେ ନିର୍ଭର କରିଥାନ୍ତି। ଖଣିରେ କାର୍ଯ୍ୟ କରି କିମ୍ବା ପରିବହନ କ୍ଷେତ୍ରରେ ନିଯୁକ୍ତି ପାଇ ନିଜର ଜୀବିକା ନିର୍ବାହ କରିଥାନ୍ତି। ସ୍ଥାନୀୟ ଲୋକେ ବ୍ୟାଙ୍କରୁ ଋଣ ନେଇ ଟ୍ରକ ଡମ୍ପର କିଣି ଖଣିଜ ପଦାର୍ଥ ପରିବହନରେ ବ୍ୟବସାୟ କରୁଛନ୍ତି। ଖଣି ଅଞ୍ଚଳରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ ଡମ୍ପର ଚଳାଚଳ କରୁଛି। ଖଣି ବନ୍ଦ ହେଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ସେହିଭଳି ଓଡିଶା ଖଣି ନିଗମ (ଓଏମ୍ସି) ଏବଂ ଓଏମ୍ଡିସି ଭଳି ସରକାରୀ ଖଣି ଦୀର୍ଘବର୍ଷ ହେବ ବନ୍ଦହୋଇ ପଡିରହିଛି। ଏହି ଖଣିରେ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ ପୁନଃ ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି। ଅନେକ ଖଣିରେ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ମଧ୍ୟ ପାଇପାରିନାହାନ୍ତି। ତେଣୁ ବନ୍ଦ ଥିବା ସରକାରୀ ଖଣି ଗୁଡିକୁ ତୁରନ୍ତ ଚାଲୁ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସରକାରୀ ଖଣିଗୁଡିକ ପରିବେଶ ଅନୁମୋଦନ ପାଇ ନ ଥିବାରୁ ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଛି ା ୨୦୨୦ ମାର୍ଚ୍ଚ ମାସ ପରଠାରୁ ସମସ୍ତ ଖଣି ବନ୍ଦ ହେଲେ ଶ୍ରମିକମାନଙ୍କର ଆର୍ଥିକ ସ୍ଥିତି ତଥା ୨ଟି ଜିଲାର ଅର୍ଥନୈତିକ ଅବସ୍ଥା ଦୁର୍ବଳ ହେବା ସହିତ ପ୍ରାୟ ଲକ୍ଷାଧିକ ଲୋକ ବେକାର ହୋଇଯିବେ। ଶ୍ରମିକମାନଙ୍କର ଭବିଷ୍ୟତ ନେଇ ଦାବି ଉପସ୍ଥାପନ କରାଯାଉଥିଲେ ହେଁ , ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରାଯାଉନାହିଁ ା