ନିଲାମ ବନ୍ଦ ପରେ ଲଗାମ ଢିଲା: ବଢୁଛି ବଉଳମାଳ ପଥର ଚୋରା ଚାଲାଣ

ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ତହସିଲର ନରଣଗଡ଼ ଅଞ୍ଚଳରେ ଥିବା ବଉଳମାଳ ପଥର ଖଣିର ନିଲାମ ପ୍ରାୟ ୬ ବର୍ଷ ଧରି ବନ୍ଦ ରହିଛି। ହେଲେ ବେଆଇନ ଖଣି ଖନନକୁ ରୋକା ଯାଇପାରୁନି। କିଛିଦିନ ତଳେ ନୟାଗଡ ଜିଲାର ରଣପୁର ଥାନାର ସାନଗଡ଼ଠାରେ ପୋଲିସ ଗଞ୍ଜାମ ଜିଲାକୁ ଚୋରା ଚାଲାଣ ହେଉଥିବା ବଉଳମାଳ ପଥର ବୋଝେଇ ୪୦୭ ଟ୍ରକ ଜବତ କରିଥିଲା। ଏହାକୁ ଏସ୍‌କଟରେ ନେଉଥିବା ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମିଳିଥିବା ସୂଚନା ଅନୁସାରେ, ନରଣଗଡ଼ରୁ ବେଆଇନ ଭାବେ ବଉଳମାଳ ପଥର ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଜିଲାକୁ ଚାଲାଣ ହେଉଛି। ତହସିଲ ପକ୍ଷରୁ ଚଢ଼ାଉ କରାଯାଉ ନ ଥିବାରୁ ଖଣି ମାଫିଆମାନେ ଲକ୍ଷାଧିକ ଟଙ୍କାର ବଉଳମାଳ ପଥର ମାଗଣାରେ ଲୁଟ୍‌ କରି ଲାଭବାନ ହେଉଛନ୍ତି।
ବଉଳମାଳ ମୁଣ୍ଡିଆ ନିଲାମ କରା ନ ଗଲେ ଯେପରି ଚୋରି ଓ ଲୁଟ୍‌ ବଢ଼ି ଚାଲିଛି ତାହା ବଢ଼ିବ। ସରକାର ରାଜସ୍ବ ହରାଇ ଚାଲିବେ। ଯଦି ବେଆଇନ ଖଣି ଖନନ ଉପରେ ଲଗାମ ଲଗାଯାଇ ପାରନ୍ତା ତେବେ ନିଲାମ କରିବା ଦରକାର ପଡ଼ନ୍ତା ନାହିଁ। ଚୋରି ରୋକିବାକୁ ନିଲାମ ନିହାତି ଦରକାର ବୋଲି ଦାବି ହେଉଛି। ଏ ନେଇ ଖୋର୍ଦ୍ଧା ଉପଜିଲାପାଳଙ୍କ ଦାୟିତ୍ୱରେ ଥିବା ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ କୁହନ୍ତି, ବଉଳମାଳ ପଥର ଥିବା ମୁଣ୍ଡିଆଗୁଡିକ ନିଲାମ ପାଇଁ ପ୍ରୋସେସିଂ ଚାଲିଛି। ଆସନ୍ତା ଡିସେମ୍ବରରେ ନିଲାମ ଦିଆଯିବାକୁ ପ୍ରସ୍ତାବ ରହିଛି। ତହସିଲ ପକ୍ଷରୁ ଆଗକୁ ଚଢାଉ ଜୋର୍‌ଦାର କରାଯିବ ବୋଲି ସେ କହିଛନ୍ତି।

Share