Categories: ବାଣିଜ୍ୟ

ନିଲାମ ହେବ ରାଜ୍ୟର ୭ ଖଣିଜ ବ୍ଲକ

ନୂଆଦିଲ୍ଲୀ,୩-୧୦: ରାଜ୍ୟର ୭ ଖଣିଜ ବ୍ଲକର ନିଲାମ କରାଯିବ। ଚଳିତ ମାସ ୨୨ଠାରୁ ନଭେମ୍ବର ୧ ମଧ୍ୟରେ ଏହାର ନିଲାମ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବ୍ଲକଗୁଡିକରେ ୧୪୮.୦୧୧ ନିୟୁତ ଟନ୍‌ ଖଣିଜ ସମ୍ପଦ ରହିଛି। ବ୍ଲକଗୁଡିକ ମଧ୍ୟରେ ୪ ଚୂନପଥର, ୨ କ୍ରୋମାଇଟ ଏବଂ ଗୋଟିଏ ଗ୍ରାଫାଇଟ ଖଣି ସାମିଲ ରହିଥିବା ଖଣି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିୟମ ମୁତାବକ ଫାଷ୍ଟ କମ୍‌ ଫାଷ୍ଟ ସର୍ଭ ଭିତ୍ତିରେ ଲିଜ ପ୍ରଦାନ ଲାଗି ବ୍ୟବସ୍ଥା କରାଯିବ ନାହିଁ ବୋଲି ଗତ ମାସରେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ। ନିୟମ ଅନୁସାରେ ଖଣିଗୁଡିକର ନିଲାମ ହେବ ବୋଲି ସେ ଜୋର ଦେଇଥିଲେ। ଫେଡେରେଶନ ଅଫ ଇଣ୍ଡିଆନ ମିନେରାଲ ଇଣ୍ଡଷ୍ଟ୍ରିଜ( ଫିମି) ପକ୍ଷରୁ ପୁରୁଣା ପ୍ରଣାଳୀ ଲାଗୁ କରାଇବା ନେଇ ଆଲୋଚନା ହେବା ପରେ ସରକାର ନିଲାମ ନିୟମ ନେଇ ଏଭଳି ସ୍ପଷ୍ଟିକରଣ ରଖିଛନ୍ତି।
ସରକାରଙ୍କ ଏହି ପକ୍ଷକୁ ଆଧାରରେ ଖଣି ସଚିବ ଅନୀଲ ମୋକିମ କହିଛନ୍ତି, ଖଣି ନିଲାମ ଏକ ସ୍ବଚ୍ଛ ଧାରା। ଏହି ଧାରାକୁ ଆଗେଇ ନେବା ଲାଗି ରାଜ୍ୟ ସରକାରଗୁଡିକ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୬୫ ଖଣି ନିଲାମ ହୋଇ ସାରିଥିବା ବେଳେ ଏଗୁଡିକ ମଧ୍ୟରୁ ୯ଟି କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରଣାଳୟ ପ୍ରକାଶ କରିଛନ୍ତି।

Share