ନିଶାଣ, ମହତାପରେ ପୁରୁଣା ପରମ୍ପରା ଛାପ

କଟକ ଅଫିସ : ଆସନ୍ତା ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ। ଦଶହରା ଆରମ୍ଭକୁ କିଛି ଦିନ ରହିଲା। ତେବେ କଟକର ପ୍ରସିଦ୍ଧ ଦଶହରା କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଭିନ୍ନ ଓ ଅନନ୍ୟ। ଏଠାରେ କେତେକ ସ୍ବତନ୍ତ୍ର ପରମ୍ପରା ଦେଖିବାକୁ ମିଳେ, ଯାହା ପ୍ରଥମ ଥର ଏହି ସହରରେ ଆରମ୍ଭ ହୋଇଥିଲା। ଗୋଟିଏ ହେଉଛି ନିଶାଣ ଓ ଅନ୍ୟଟି ହେଉଛି ମହତାପ ବାଣ। ୧୮୬୦ ମସିହାରେ କଟକରୁ ପ୍ରକାଶିତ ଏକ ପ୍ରଶ୍ନୋତ୍ତର ମୂଳକ ପତ୍ରିକାରେ ଉକ୍ତ ଦୁଇଟି ନାମ ଉଲ୍ଲେଖ ରହିଥିବା ଜଣାପଡ଼େ। ତେଣୁ ଉକ୍ତ ଦୁଇଟି ବିଶେଷ ପରମ୍ପରାର ଆରମ୍ଭ ପ୍ରାୟ ୧୮୦୦ ମସିହାରୁ ହୋଇଥିବା କୁହାଯାଏ।
ଭସାଣି ଯାତ୍ରା ବେଳେ ମେଢ଼ ଆଗରେ ପତାକା ଯାଏ। ବାଉଁଶରେ ବନ୍ଧା ହୋଇଥିବା ଏହି ପତାକାକୁ ‘ନିଶାଣ’ କୁହାଯାଏ। ରାଜରାଜୁଡ଼ା ଅମଳରୁ ନିଶାଣର ବ୍ୟବହାର ହୋଇଆସୁଛି। ରାଜା କିମ୍ବା ତାଙ୍କର କୌଣସି ଶୋଭାଯାତ୍ରା ଯିବାବେଳେ ନିଶାଣ ଆଗରେ ଯାଏ। ନିଶାଣରେ ସ୍ବତନ୍ତ୍ର ଚିହ୍ନ ଥାଏ। ଯେଉଁଥିରୁ ଜଣାପଡ଼େ ଯେ କେଉଁ ରାଜା ଆସୁଛନ୍ତି। କଟକରେ ଅନେକ ରାଜାଙ୍କ କୋଠା ଥିବାରୁ ଏଠାରେ ବହୁ ରାଜପରିବାର ରହୁଥିଲେ। ପ୍ରତ୍ୟେକ ରାଜାଙ୍କର ଭିନ୍ନ ଭିନ୍ନ ନିଶାଣ। ଏହି ପରମ୍ପରା ଦଶହରା ଭସାଣି ଯାତ୍ରାରେ ଯୋଡ଼ି ହୋଇଛି। ଏବେ କଟକରେ ୧୫୯ ପୂଜା କମିଟି। ପ୍ରତ୍ୟେକ ପୂଜା କମିଟି ଭସାଣି ଯାତ୍ରାରେ ଯିବାବେଳେ ନିଶାଣକୁ ଆଗରେ ନିଅନ୍ତି ଓ ନିଶାଣ ଦେଖି ହିଁ ଲୋକେ ଜାଣିପାରନ୍ତି କେଉଁ ପୂଜା କମିଟିର ମେଢ଼ ଆସୁଛି। ରଙ୍ଗ ଓ କିଛି ଚିହ୍ନକୁ ନେଇ ନିଶାଣର ଭିନ୍ନତା ଜଣାପଡ଼େ। ହଜାର ବର୍ଷର ସହର ପରିଚୟ ପାଇଥିବା କଟକରେ ଏହି ପରମ୍ପରା ଏବେ ବି ପ୍ରଚଳିତ।
ଆଉ ଗୋଟିଏ ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ, ତାହା ହେଲା ମହତାପ ବାଣ। ମହତ୍‌ ତାପ ଶବ୍ଦରୁ ଆସିଛି ମହତାପ। ବିନା ଶବ୍ଦରେ ଫୁଟୁଥିବା ଏହି ବାଣ ବେଶ୍‌ ଆକର୍ଷଣୀୟ। ବାଣରେ ନିଆଁ ଲାଗିଲେ କିଛି ମିନିଟ ଧରି ସ୍ଥାନୀୟ ପରିବେଶ ରଙ୍ଗମୟ ହୋଇଯାଏ। ଏଥିରୁ ରଙ୍ଗିନ ଧୂଆଁ ଉଠୁଥିବା ଦେଖିବାକୁ ମିଳେ। ବାରୁଦ ଓ କିଛି ରାସାୟନିକ ସାମଗ୍ରୀକୁ ନେଇ ଏହା ତିଆରି ହୋଇଥାଏ। ଏହି ବାଣ କଟକର ଦଶହରା ସହିତ ବହୁ ଆଗରୁ ଯୋଡ଼ି ହୋଇ ରହିଛି। ପୂର୍ବରୁ ହାତଗଣତି ଚାନ୍ଦିମେଢ଼ ଥିବା ବେଳେ ଅଧିକାଂଶ ଜରି ମେଢ଼ ରହୁଥିଲା। ଏଣୁ ସେ ସମୟରେ ଯେଉଁ ମହତାପ ବାଣ ବ୍ୟବହାର କରାଯାଉଥିଲା ସେ ସବୁରୁ କମ୍‌ ଧୂଆଁ ବାହାରୁଥିଲା। ଏବେ ପୁରୁଣା କ୍ବାଲିଟିର ମହତାପ ବାଣ ନାହିଁ। କ୍ବାଲିଟି ଖରାପ ହେଲାଣି ବୋଲି ସହରର ଜଣେ ପୁରୁଖା ବ୍ୟକ୍ତି କହିଛନ୍ତି। ଏହି ବାଣ ନିମଚୌଡ଼ି ଅଞ୍ଚଳରେ ତିଆରି ହୁଏ। ବିଭିନ୍ନ ରଙ୍ଗର ମହତାପ ବାଣ ରହିଥିବା ବେଳେ ନାଲି ରଙ୍ଗର ବାଣ ଅଧିକ ବ୍ୟବହାର ହେଉଥିବା ଦେଖିବାକୁ ମିଳେ।

Share