ଯାଜପୁର ଅଫିସ,୭।୧୨: ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଘଟଣାରେ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ପ୍ରକାଶଯୋଗ୍ୟ, ଗଣଶିକ୍ଷକ ମହାନ୍ତ ପ୍ରାୟ ଶିକ୍ଷା ଦିବସରେ ନିଶାସକ୍ତ ହୋଇ ସ୍କୁଲକୁ ଯାଇଥାନ୍ତି। ଏପରିକି ସେ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିବା ସହ ବିଭିନ୍ନ ସମୟରେ ଅକଥନୀୟ ଅତ୍ୟାଚାର କରିଥାନ୍ତି। ଏନେଇ ଗ୍ରାମବାସୀ ପୂର୍ବରୁ ଅନେକ ଥର ତାଗିଦ କରିଥିଲେ ହେଁ କିଛି ସୁଫଳ ମିଳି ନ ଥିଲା। ଗତ ବୁଧବାର ଅପରାହ୍ନରେ ସେ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଯାଇ ଛାତ୍ରୀଛାତ୍ରଙ୍କୁ ଧମକଚମକ ଦେଇଥିଲେ। ଏପରିକି ତାଙ୍କ ବାଇକକୁ ରାସ୍ତାରେ ପକାଇ ଦେଇ ଛାତ୍ରୀଛାତ୍ରଙ୍କୁ ଡାକି ଆଣ୍ଠେଇବାକୁ କହିଥିଲେ। ଛାତ୍ରୀଛାତ୍ରମାନେ ରାସ୍ତା ମଝିରେ କାନ ଧରି ଆଣ୍ଠେଇଥିଲେ। ଏଥିସହ ତାଙ୍କ ସହ ଫଟୋ ନେବାକୁ କହିଥିଲେ। ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।