ନିଶାରେ ଠେଙ୍ଗାରେ ପିଟି ବାପାଙ୍କୁ ହତ୍ୟା ଘଟଣା: ଜେଲ ଗଲେ ଅଭିଯୁକ୍ତ ପୁଅ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ପୁଅଙ୍କୁ ଗୁରୁବାର ଜେଲ ପଠାଇ ଦିଆଯାଇଛି। ସେ ହେଲେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ସାହୁ କଲୋନୀରେ ରହୁଥିବା କୁନା ସ୍ବାଇଁ(୨୦)। କୁନାଙ୍କ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ। ସେ ପରିବାର ସହ ଭୁବନେଶ୍ୱରରେ ରୁହନ୍ତି। ବାପା ବିଜୟ ସ୍ବାଇଁ (୫୧)ଙ୍କ ସହ ପୁଅ କୁନା ବିଭିନ୍ନ କ୍ୟାଟରିଂ ସଂସ୍ଥାରେ ରୋଷେୟା କାମ କରନ୍ତି। ବୁଧବାର ସନ୍ଧ୍ୟାରେ ପୁଅ କୁନା ନିଶାରେ ଘରକୁ ଫେରିଥିଲେ। ଏକ କ୍ୟାଟରିଂ ସଂସ୍ଥାରୁ ବକେୟା ଟଙ୍କା ଆଣିବାକୁ ନେଇ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥିଲା। କୁନା ତା’ର ରୁମକୁ ଚାଲିଯାଇଥିଲେ। କିଛି ସମୟ ପରେ କୁନା ଘର ଭିତରେ ବାନ୍ତି କରୁଥିବା ଦେଖି ତାଙ୍କୁ ବାହାରକୁ ଟାଣି ନେଉଥିଲେ। ଏଥିରେ ପୁଅ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ବାପାଙ୍କ କାନ ମୁଣ୍ଡାକୁ ଜୋର୍‌ରେ ପିଟି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଅଭିଯୁକ୍ତ ପୁଅ କୁନାଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଥିଲା। କେସ୍‌ ନଂ. ୧୦୩/୨୦ରେ କୁନାଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Share