ନିଶାରେ ଭାସିଥିଲା ନିର୍ବାଚନ

କଟକ ଅଫିସ, ୧୩।୫:  ନିଶାରେ ଭାସିଥିଲା ଓଡ଼ିଶାର ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ। ଭଦ୍ରକରେ ନିର୍ବାଚନ ସମୟରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ ଫନୀ ବିଭୀଷିକା ଏହି ବୃହତ୍‌ ଘଟଣାକୁ ଚାପି ଦେଲା। ନିର୍ବାଚନ ଆଚରଣବିଧି ସଂହିତା ଅନୁଯାୟୀ ମତଦାନର ଦୁଇଦିନ ପୂର୍ବରୁ ମଦ ଦୋକାନ ବନ୍ଦ ରହିଥାଏ। କିନ୍ତୁ ଆଗ ତାଲା, ପଛ ଖୋଲା ନୀତିରେ ମଦ କାରବାର ଚୋରାରେ ଚାଲିଥିଲା, ଯାହା ଭଦ୍ରକ ମଦମୃତ୍ୟୁ ଘଟଣା ସାମ୍ନାକୁ ଆଣିଛି। କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟରେ ନିର୍ବାଚନ ସମୟରେ ଚୋରା ମଦ ସହିତ ଅନ୍ୟାନ୍ୟ ନିଶା ସାମଗ୍ରୀର ଅବାଧ କାରବାର ଚାଲିଥିଲା। ଗତ ମାର୍ଚ୍ଚ ୧୦ରୁ ମେ ପହିଲା ମଧ୍ୟରେ ଅବକାରୀ ବିଭାଗ ଜବତ କରିଥିବା ଚୋରା ନିଶା ସାମଗ୍ରୀକୁ ଦେଖିଲେ ଏହାର ସ୍ପଷ୍ଟ ପ୍ରମାଣ ମିଳୁଛି।

ଉପରୋକ୍ତ ସମୟ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୯,୧୬୧.୨୪୩ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଜବତ ମଦର ମୂଲ୍ୟ ୨,୯୫,୮୦,୬୨୧.୫୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଚୋରା କାରବାରରେ ୫୨୭ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଉପରୋକ୍ତ ଅବଧି ମଧ୍ୟରେ ୪୩୩୮.୨୫୫ ଲିଟର ବିୟର ଜବତ କରାଯାଇଛି। ଏହାର ମୂଲ୍ୟ ୭,୮୦,୮୮୫.୯୦ ଟଙ୍କା ହେବ। ଏହି ଚୋରା କାରବାର ଅଭିଯୋଗରେ ୧୮୯ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଦେଶୀ ମଦ କାରବାର ମଧ୍ୟ କିଛି କମ୍‌ ନ ଥିଲା। ନିର୍ବାଚନ ଚାଲିଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ୩୨,୩୬୯.୦୮୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା, ଯାହାର ମୂଲ୍ୟ ୪୮,୫୫,୩୬୨.୭୫ ଟଙ୍କା ହେବ। ଏହି କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ୯୮୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସମାନ ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୬୮,୬୯୧.୧୨୦ ଲିଟର ହାତରନ୍ଧା ମଦ ଜବତ କରାଯାଇଥିଲା। ତାହାର ମୂଲ୍ୟ ୬୮,୬୯,୧୧୨ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ଏହି ଘଟଣାରେ ୨୩୮୫ ଜଣଙ୍କୁ ଗିରଫ କରାଯାଇଛି। ମୋଟାମୋଟି ଭାବେ ଦେଖିଲେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩,୦୭୯ଟି ଚଢାଉ କରାଯାଇ ୧,୬୪,୫୫୯.୭୦୩ ଲିଟର ମଦ ଜବତ କରାଯାଇଛି। ଜବତ କରାଯାଇଥିବା ସମୁଦାୟ ମଦର ମୂଲ୍ୟ ୪ କୋଟି ୨୦ ଲକ୍ଷ ୮୫ହଜାର ୯୮୨ ଟଙ୍କା ୧୫ ପଇସା ହେବ ବୋଲି ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚୋରା କାରବାର ବିରୋଧରେ ଅବକାରୀ ବିଭାଗରେ ୪୭୬୮ ମାମଲା ରୁଜୁ କରାଯାଇ ୪୦୮୪ ଜଣଙ୍କୁ ଗିରଫ କରାଯାଇଛି। ଏହାବାଦ ଅନ୍ୟାନ୍ୟ ଚୋରା ସାମଗ୍ରୀ ଯଥା ଗଞ୍ଜେଇ, ଅଫିମ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ କାରବାର ମଧ୍ୟ ଖୁଲମଖୁଲା ଥିଲା। କାରଣ ମାର୍ଚ୍ଚ ୧୦ ରୁ ମେ ପହିଲା ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ୯୭ ଲକ୍ଷ ୨ହଜାର ୮୨୫ ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦିଆଯାଇଛି।

ଉପରୋକ୍ତ ତଥ୍ୟକୁ  ଦେଖିଲେ ମନେ ହୁଏ ନିର୍ବାଚନ ଆସିଲେ ଚୋରା ମଦ ବ୍ୟବସାୟୀଙ୍କ ପାଇଁ ପୁଷ ମାସ ଆଣିଥାଏ। କାରଣ ସରକାରୀ ଭାବେ ମଦ ଦୋକାନ ବନ୍ଦ ରହିଥିବା ଘୋଷଣା କରାଯାଇଥିବାରୁ ଚୋରା ବ୍ୟବସାୟୀମାନେ ବେଶ୍‌ ଲାଭବାନ ହୋଇଥାନ୍ତି। ଏହି କାରବାର ଦ୍ୱାରା ସରକାର ମଧ୍ୟ ବିପୁଳ ପରିମାଣର ରାଜସ୍ବ ହରାଇଥାନ୍ତି। କାରଣ ସରକାରୀ ଭାବେ ଯେଉଁ ମଦର ମୂଲ୍ୟ ୧୦୦ ଟଙ୍କା ତାହା କଟକଣା ସମୟରେ ୨୦୦ରୁ ୩୦୦ ଟଙ୍କା ଛୁଇଁଥାଏ। ମୁଖ୍ୟତଃ ଏହି କଟକଣା ସମୟ ମଧ୍ୟରେ ଅବକାରୀ ବିଭାଗର କେତେଜଣ ମୁନାଫାଖୋର ଅଧିକାରୀ ବେଶ୍‌ ଲାଭବାନ ହେଉଥିବା ରାଜ୍ୟ ନିଶା ନିବାରଣ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ସଂଗଠନର କର୍ମକର୍ତ୍ତା ରମାକାନ୍ତ ମଣ୍ଡଳଙ୍କ କହିବା ଅନୁଯାୟୀ, ମଦ ଦୋକାନ ବନ୍ଦ ରହିବା ପ୍ରଚାର କେବଳ ଧର୍ମକୁ ଆଖିଠାର। କାରଣ କଟକଣା ସମୟରେ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସହାୟତାରେ ମଦ କାରବାର ଚୋରାରେ ଚାଲେ। କେବଳ ସେତିକି ନୁହେଁ, ଚଢ଼ା ମୂଲ୍ୟରେ ମଦ ବିକ୍ରି ହେବା ସହ ଅଧିକ ଫାଇଦା ଗୋଟାଇବାକୁ ଯାଇ ଚୋରା ବ୍ୟବସାୟୀମାନେ ତାହାକୁ ଭେଜାଲ କରିବାକୁ ପଛାଇ ନ ଥାନ୍ତି। ଫଳସ୍ବରୂପ ବିଷାକ୍ତ ମଦ ମୃତ୍ୟୁ ଭଳି ଘଟଣା ଘଟୁଛି।

ଅବକାରୀ ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ପାଲଟା କୁହନ୍ତି, ନିର୍ବାଚନ ସମୟରେ ଚୋରା ନିଶା କାରବାରକୁ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଯଥେଷ୍ଟ ଉଦ୍ୟମ କରାଯାଇଛି। ଏପରିକି ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଥିଲା। ଉକ୍ତ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିବା ଫଳରେ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି। ତେବେ ଭଦ୍ରକ ଘଟଣାକୁ ବିଭାଗ ପକ୍ଷରୁ ଗୁରୁତ୍ୱର ସହିତ ଗ୍ରହଣ କରାଯାଇଥିବା ପାଲଟା କହିଛନ୍ତି।

Share