ନିଶାଶକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଜଣେ କାର ଚାଳକଙ୍କୁ ଦାରିଙ୍ଗବାଡ଼ି ପୋଲିସ ଥାନାକୁ ଆଣିଛି। ଚାଳକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଭୀମ ବିଶ୍ୱାଳ। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ପରୀକ୍ଷା କରାଯାଇଥିଲା। ରିପୋର୍ଟ ମିଳିବା ପରେ ସେ ନିଶାସକ୍ତ ଥିବା ଜଣାପଡିଥିବା ଏଏସଆଇ ଆର. ଭିମୋରାଓ ରେଡ୍ଡୀ କହିଛନ୍ତି। ତାଙ୍କ ନାମରେ ପୋଲିସ ମାମଲା ରୁଜୁ କରିବା ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛି।
ପ୍ରକାଶଯେ କାର ନଂ.ଓଡି୦୭ୱାଇ-୪୩୩୭ରେ ଚାଳକ ବିଶ୍ୱାଳ ବ୍ରହ୍ମପୁର ଅଞ୍ଚଳରୁ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ବୁଲାଇବାକୁ ଆଣିଥିଲେ। ସିମନବାଡ଼ି ଅଞ୍ଚଳରେ କାର୍‌ଟି ବୁଲୁଥିବା ବେଳେ ସିମନବାଡ଼ି ରଥଯାତ୍ରା ଡ୍ୟୁଟିରେ ଥିବା ଆଇଆଇସି ଅଲେଖ ଗରଡ଼ିଆ ଓ ଏଏସ୍‌ଆଇ ରେଡ୍ଡୀ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଦ୍ରୁତଗତିରେ ପଳାଇଥିଲା। ତାଙ୍କୁ ପିଚ୍ଛା କରି ସୁଲୁମାହା ଘାଟିରେ ପୋଲିସ ଧରିଥିଲା। ସୂଚନାଯୋଗ୍ୟ ଯେ, ଆମ ପୋଲିସ ସମିତି ବୈଠକରେ ନିଶାସକ୍ତ ଗାଡି ଚାଳକଙ୍କୁ ସାବଡ଼ କରିବାକୁ ଦାବି କରାଯାଇଥିଲା। ପୋଲିସ ଏନେଇ ପଦକ୍ଷେପ ଆରମ୍ଭ କରିଛି।

Share