ନିଶାସକ୍ତ ଗାଡ଼ି ଚାଳକ କୋର୍ଟ ଚାଲାଣ, ଜରିମାନା ଆଦାୟ

ଧର୍ମଶାଳା,୧୨।୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଶ୍ରୀରାମପୁର ଟୋଲଗେଟଠାରେ ଯାଞ୍ଚବେଳେ ମଙ୍ଗଳବାର ରାତିରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଏଥିସହ ତାଙ୍କଠାରୁ ୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବାଇକ୍‌ ଚାଳକ ଜଣଙ୍କ କେନ୍ଦ୍ରାପଡା ଥାନା ଦୁରିଆ ଗ୍ରାମର ବିକାଶ ସାହୁ (୪୮)। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ବୁଧବାର ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରି ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଗାଡି ଯାଞ୍ଚ କରାଯାଇଥିଲା। ଏଥିରେ ରାତିରେ ୪୦ଟି ଟ୍ରକ୍‌ ଡ୍ରାଇଭର, ୩୦ଟି କାର୍‌ ଓ ୪୪ ଜଣ ବାଇକ ଚାଳକଙ୍କୁ ବ୍ରେଜ୍‌ ଆନାଲାଇଜର ଯନ୍ତ୍ର ଜରିଆରେ ଯାଞ୍ଚ କରାଯାଇଥିଲା।