ନିଶା ଔଷଧ କାରବାର : ଜଣେ ଗିରଫ

ଯୋଡ଼ା,୨୧।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରର ସହିଦ ନଗରଠାରେ ଯୋଡା ପୋଲିସ ଚଢାଉ କରି ନିଶା ଔଷଧ ଓ ମଦ କାରବାର କରୁଥିବା ଅଭିଯୋଗରେ ଅନଓ୍ବାର ହୁସେନ୍‌ଙ୍କୁ ଗିରଫ କରିଛି। ଯୋଡା ଥାନା ଏସଆଇ ବିଶ୍ୱଜିତ ବେହେରାଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ ଦୀର୍ଘଦିନ ଧରି ଉକ୍ତ ଯୁବକ ଜଣକ ଚୋରାରେ ଦେଶୀ ମଦ କାରବାର କରିବା ସହିତ ବେଆଇନ୍‌ ଭାବେ ନିଶା ଔଷଧ କୋରେକ୍ସ ଓ କ୍ୟାପସୁଲ୍‌ ବିକ୍ରି କରି ଆସୁଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଏହି କାରବାରକୁ ବନ୍ଦ କରିବା ପାଇଁ ଅଭିଯୋଗ ହୋଇ ଆସୁଥିଲା। ଯୋଡା ପୋଲିସ ଏହି କାରବାର ସମ୍ପର୍କରେ ଗୁପ୍ତ ସୂଚନା ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ସଦଳବଳେ ଅନଓ୍ବାର ହୁସେନଙ୍କ ଘରେ ଚଢାଉ କରି ୭ ଟି କୋରେକ୍ସ ବୋତଲ , ୫ଷ୍ଟ୍ରିବ୍‌ ନିଶା କ୍ୟାପସୁଲ ପ୍ଲାଜମୋ ଏବଂ ୧୫ ଲିଟର ମହୁଲିମଦ ମଧ୍ୟ ଜବତ କରିଥିଲା । ପୋଲିସ ଏନେଇ ଏକ ମାମଲା (ନଂ.୧୨୬/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିବା ଏସଆଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ କି, ଏନେଇ ଧରିତ୍ରୀରେ ତଥ୍ୟଭିତ୍ତିକ ଖବର ମଧ୍ୟ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ପୋଲିସ ତତ୍ପରତା ବୃଦ୍ଧି ପାଇଥିଲା। ଯୋଡା ସହରରେ ବ୍ରାଉନସୁଗାର, ଗଞ୍ଜେଇ କାରବାର ବୃଦ୍ଧି ପାଇବାରେ ଲାଗିଛି ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି ଯେ, ଏନେଇ ଜିଲା ଆରକ୍ଷୀ ନିରୀକ୍ଷକ ପ୍ରତ୍ୟକ୍ଷ ଭାବେ ଯୋଡା ପୋଲିସକୁ ନିର୍ଦ୍ଦେଶ ଦେଲେ ଏହି ନିଶା କାରବାର ଉପରେ ଅଙ୍କୁଶ ଲଗାଯାଇପାରନ୍ତା।