ନିଶା କାରବାର ଅଭିଯୋଗ: ସିଲ୍‌ ହେଲା ପଞ୍ଜାବୀ ମଠ

ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍‌ କରିଦେଇଛି। ମଠ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ ପାଇବା ପରେ ପୋଲିସ ଏଭଳି ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ ସିଲ୍‌ ହେବା ପରେ ଏଠାରେ ରହୁଥିବା ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ମଠ ଛାଡିବାକୁ କୁହାଯାଇଥିଲା। ଅନେକ ସେମାନଙ୍କ ଆସବାବପତ୍ର ଧରି ପଳାଇ ଯାଇଥିବାବେଳେ ଏଠାରେ ସ୍ଥାୟୀ ଭାବେ ଘର ଭଡା ନେଇ ରହୁଥିବା ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିନା ସୂଚନାରେ ହଠାତ୍‌ ମଠ ଛାଡିବାକୁ କୁହାଯାଉଥିବାବେଳେ ସେମାନେ ଏବେ କୁଆଡେ ଯିବେ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ମଠ ଭିତରେ ନିଶା କାରବାର ହେଉଥିବା ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ରବିବାର ରାତିରେ ପୁଣି ମଠ ପରିସରରେ ନିଶା କାରବାର ହେଉଥିବା ପୋଲିସ ପାଖରେ ଖବର ପହଞ୍ଚତ୍ଥିଲା। ତେଣୁ ରବିବାର ରାତିରେ ମଠରେ ଚଢାଉ କରାଯାଇଥିଲା। ଗୋଏଟି ପ୍ରକୋଷ୍ଠରୁ କୋରେକ୍ସ ବୋତଲ ଏବଂ ବିପୁଳ ପରିମାଣର ଖାଲି କୋରେକ୍ସ ବୋତଲ ଜବତ କରାଯାଇଥିଲା। ଏହାପରେ ପୋଲିସ ସୋମବାର ମଠ ସିଲ୍‌ କରାଯିବ, ତେଣୁ ମଠ ଛାଡିବାକୁ ସେଠାରେ ରହୁଥିବା ଯାତ୍ରୀ, ଶ୍ରଦ୍ଧାଳୁଙ୍କୁ କହିଥିଲା। ସେହି ମୁତାବକ ପୂର୍ବାହ୍ନରେ ମାଜିଷ୍ଟ୍ରେଟ ଏବଂ ସିଟି ଡିଏସ୍‌ପି ପୋଲିସ ଫୋର୍ସ ସହ ପହଞ୍ଚତ୍ ସିଲ୍‌ କରିଥିଲେ। ସେଠାରେ ରହୁଥିବା ଲୋକଙ୍କୁ ମଠ ଛାଡିବା ପାଇଁ କହିଥିଲେ। ଶ୍ରଦ୍ଧାଳୁ ଏବଂ ଯାତ୍ରୀ ସେମାନଙ୍କ ଆସବାବପତ୍ର ଧରି ପଳାଇଥିଲେ। କିନ୍ତୁ ଏଠାରେ ଘର ଭଡା ନେଇ ସ୍ଥାୟୀ ଭାବେ ରହିଆସୁଥିବା ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୭୫ ମିଟର ମଧ୍ୟରେ ଏହି ମଠ ରହିଛି। ଏହାକୁ ଉଚ୍ଛେଦ କରିବା ଲାଗି ପ୍ରଶାସନର ଏହା ଏକ ଚାଲ୍‌ ବୋଲି କହିଥିଲେ। ହଠାତ୍‌ ପିଲାଛୁଆଙ୍କୁ ନେଇ ସେମାନେ ଯିବେ କୁଆଡେ ବୋଲି ପ୍ରଶ୍ନ କରିଥିଲେ।
ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଥିଲେ, ପଞ୍ଜାବୀ ମଠରେ ନିଶା କାରବାର ହେଉଥିବା ଦୀର୍ଘଦିନରୁ ଅଭିଯୋଗ ରହିଥିଲା। ଏସ୍‌ପିଙ୍କ ନିକଟରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ଚଢାଉ କରିଥିଲା। କୌଣସି ମଠ ଭିତରେ ଏମିତି ବେଆଇନ କାରବାରକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଜିଲାପାଳ କହିଛନ୍ତି।

Share