ନିଶା ଖୁଆଇ ଯୁବକଙ୍କୁ ଲୁଟ୍‌: ରାସ୍ତାକଡ଼ରେ ଫୋପାଡ଼ି ଚାଲିଗଲେ

ଧର୍ମଶାଳା ୨ା୨(ଡିଏନ୍‌ଏ) ଧର୍ମଶାଳା ଥାନା ସାନ ବାଲିକୁଦା ଗ୍ରାମର କେଦାରନାଥ ଜେନା ଅନୁଗୋଳରୁ ଘରକୁ ଫେରୁଥିବାବେଳେ ତାଙ୍କୁ ବାଟରେ ଲୁଟେରା ଚା’ରେ ନିଶା ଦେଇ ଲୁଟ କରିବା ପରେ ରାସ୍ତାକଡ଼ରେ ଫୋପାଡ଼ି ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ କେଦାରଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ କେଦାରଙ୍କ ବଡ଼ଭାଇ ବିଜୟ କୁମାର ଜେନା ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୪୮/୨୦) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
କେଦାର ଅନୁଗୋଳଠାରେ ନାଲ୍‌କୋରେ ଚାକିରି କରିଛନ୍ତି। ଗତ ଶନିବାର ଘରକୁ ଫେରି ଛତିଆ ନିକଟରେ ଜଣଙ୍କ ମୋଟର ସାଇକେଲରେ ଲିଫ୍ଟ ମାଗି ଜାରକା ଆସୁଥିଲେ। ତେବେ ତାଙ୍କୁ ଲିଫ୍ଟ ଦେଇଥିବା ବ୍ୟକ୍ତି ବାଟରେ ଚା’ରେ ନିଶା ମିଶାଇ ପିଇବାକୁ ଦେଇଥିଲେ। କେଦାର ଅଚେତ ହୋଇଯିବା ପରେ ତାଙ୍କଠାରୁ ଏଟିଏମ୍‌ କାର୍ଡ ଓ ନଗଦ ୧୦ ହଜାର ଟଙ୍କା ଲୁଟିନେବା ପରେ ୧୬ନଂ. ଜାତୀୟ ରାଜପଥ ନେଉଳୁପୁର ନିକଟସ୍ଥ ରାସ୍ତା ପାର୍ଶ୍ୱରେ ପକାଇ ଫେରାର ହୋଇଯାଇଥିଲେ।