ନିଶା ଦେଇ ନାଲକୋ ଅଧିକାରୀଙ୍କ ଠାରୁ ଟଙ୍କା ଲୁଟ୍‌: ଗୁରୁତର ଅବସ୍ଥାରେ ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି

ବଅଁରପାଳ,୧୪।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ତାଳଚେର ନାଲ୍‌କୋ ସିପିପି ସିଏଚ୍‌ପିରେ ଅଧିକାରୀ ଭାବେ କାର୍ଯ୍ୟକରୁଥିବା ମୋହିନୀ ଚରଣ ମଲିକ ଶୁକ୍ରବାର ରାତିରେ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ନିଶାଦେଇ ଟଙ୍କା, ସୁନା ମୋବାଇଲ ଓ ଏଟିଏମ୍‌ କାର୍ଡ ଲୁଟି ନେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ମୋହିନୀ ଚରଣ ଯାଜପୁରରୁ ବସ୍‌ଯୋଗେ ଆସି ମଙ୍ଗୁଳି ଛକରେ ଓହ୍ଲାଇ ଥିଲେ। ପରେ ସେଠାରୁ ଜଣେ ଯୁବକଙ୍କୁ ଲିଫ୍ଟ ମାଗି ବାଇକ୍‌ରେ ଯାଇଥିଲେ। ରାସ୍ତାରୁ ଅନ୍ୟଜଣେ ଯୁବକ ତାଙ୍କ ସହ ମଧ୍ୟ ଯାଇଥିଲେ। ତେବେ ଗୋବିନ୍ଦପୁର ନିକଟରେ ସେ ଯେଉଁ ବାଇକ୍‌ରେ ଲିଫ୍ଟ ମାଗି ଯାଇଥିଲେ ସେହି ଯୁବକ ଦ୍ୱୟ ନିଶା ଦେଇ ତାଙ୍କଠାରୁ ଟଙ୍କା ସୁନା ଲୁଟି ନେଇ ରାସ୍ତାକଡ ଖାଲରେ ପକାଇ ଚାଲିଯାଇଥିଲେ । ତେବେ ଖବର ପାଇ ଶନିବାର ସକାଳେ ପରିବାର ଲୋକେ ପହଞ୍ଚିି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।