ନିଶା ନିବାରଣ ଲାଗି ଅଣ୍ଟା ଭିଡିଲେ ଛାତ୍ରୀଛାତ୍ର

ଖଇରା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ଚାଲିଛି। କେଉଁଠି ବହୁ ମୂଲ୍ୟ ଜୀବନ ଚାଲି ଯାଉଛି ତ ଆଉ କେଉଁଠି ଲୁଟ୍‌, ଛିନ୍‌ତାଇ ଯୋଗୁ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏହାବ୍ୟତୀତ ନାବାଳିକାଙ୍କୁ ବଳାତ୍କାର ଖବର ଦୈନନ୍ଦିନ ନଜରକୁ ଆସୁଛି। ଏହାର ମୂଳକାରଣ ହେଉଛି ନିଶାସେବନ। ଏହା ହୃଦୟଙ୍ଗମ କରି ଖଇରା ଅଞ୍ଚଳର କେତେକ ଛାତ୍ରୀଛାତ୍ର ଏସବୁ ଅପରାଧକୁ ରୋକିବା ଲାଗି ଅଣ୍ଟା ଭିଡିଛନ୍ତି।
ବୁଧବାର ସକାଳେ ଛାତ୍ରୀଛାତ୍ରମାନେ ଏକ ଶୋଭାଯାତ୍ରାରେ ବଟେଶ୍ୱରରୁ ଖଇରା ଅଭିମୁଖେ ଯାତ୍ରା କରିଥିଲେ। ପରେ ଥାନାଧିକାରିଣୀଙ୍କ ଅନୁପସ୍ଥିତିରେ ଏଏସ୍‌ଆଇ ପ୍ରଦୀପ କୁମାର ମହାନ୍ତିଙ୍କୁ ନିଶାମୁକ୍ତ ଖଇରା ଗଠନ ଉପରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଛାତ୍ରୀ ରାଜଶ୍ରୀ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ଛାତ୍ର ମଳୟ କୁମାର ଗିରି, ସତ୍ୟପ୍ରକାଶ ସାମଲ, ଓମ୍‌ ପ୍ରକାଶ ଗିରି, ରଶ୍ମି ରଞ୍ଜନ ରାଉତ, ପ୍ରିତମ କୁମାର ଲେଙ୍କା, ପଙ୍କଜ ନାୟକ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।