ନିଶା ପାଇଁ ଟଙ୍କା ନଦେବାରୁ ଭଉଣୀ ତଣ୍ଟିଚିପି ହତ୍ୟା ଉଦ୍ୟମ

ଫୁଲବାଣୀ ଅଫିସ, ୧୩ା୩: ନିଶା ଖାଲି ମଣିଷକୁ ବିପଥଗାମୀ କରେନାହିଁ, ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ଛାଡେନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଫୁଲବାଣୀ ସହର ପେଞ୍ଜିସାହିରେ ଦେଖିବାକୁ ମିଳିଛି। ମଦ ପାଇଁ ଟଙ୍କା ନଦେବାରୁ ଶୁକ୍ରବାର ଭଉଣୀ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଛନ୍ତି ୨ ଭାଇ। ଦୁଇ ଭାଇଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ବାପାଙ୍କ ଅଭିଯୋଗକ୍ରମେ ଆଦର୍ଶ ଥାନା ପୋଲିସ ଜଣେ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିଷ ବୋର୍ଡରେ ହାଜର କରାଇଛି।
ସୂଚନା ଅନୁଯାୟୀ, ପେଞ୍ଜିସାହିର ଜଣେ ବ୍ୟକ୍ତି ତାଙ୍କ ଝିଅ(୧୬)ଙ୍କୁ କିଛି ଟଙ୍କା ରଖିବା ପାଇଁ ଦେଇଥିଲେ। ଏ ବିଷୟରେ ତାଙ୍କ ଦୁଇ ପୁଅ ଜାଣିଥିଲେ। ମଦ ପିଇବା ପାଇଁ ସେଥିରୁ କିଛି ଟଙ୍କା ଦେବାକୁ ଦୁଇ ଭାଇ ଭଉଣୀଙ୍କୁ ମାଗିଥିଲେ। ମାତ୍ର ସେ ଦେବାକୁ ମନା କରିଦେବାରୁ ତାଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ। ଝିଅର ପାଟି ଶୁଣି ବାପା ପହଞ୍ଚତ୍ ଦୁଇ ପୁଅଙ୍କ କବଳରୁ ତାଙ୍କୁ ରକ୍ଷା କରିଥିଲେ।

Share