ନିଶ୍ଚିନ୍ତକୋଇଲିରେ ବଢୁଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା

ନିଶ୍ଚିନ୍ତକୋଇଲି୨।୬(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦିନକୁଦିନ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ୁଛି। କ୍ୱାରାଣ୍ଟାଇନ ସେଣ୍ଟରରେ ପଜିଟିଭ୍‌ ଚିହ୍ନଟ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣର ଭୟ ନ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ବ୍ଲକର ୪୧ଟି ପଞ୍ଚାୟତରେ ୮ ହଜାର ୮ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଅନ୍‌ଲାଇନ ଓ ଅଫ୍‌ଲାଇନରେ ନିଜ ଗାଁକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ୯୫ଟି କ୍ୱାରାଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରାଯାଇଛି। ମହିଳାଙ୍କ ପାଇଁ ବ୍ଲକରେ ସ୍ବତନ୍ତ୍ର କ୍ୱାରାଣ୍ଟାଇନ କରାଯାଇଛି। ତେବେ ୯୫ଟି କ୍ୱାରାଣ୍ଟାଇନ କେନ୍ଦ୍ର ମଧ୍ୟରୁ ୧୨ଟିରେ ଏବେ ପ୍ରବାସୀଙ୍କୁ ରଖାଯାଇଛି। ମଙ୍ଗଳବାର ସୁଦ୍ଧା ନିଶ୍ଚିନ୍ତକୋଇଲି ବ୍ଲକକୁ ୨ ହଜାର ୪୫୧ ଜଣ ପ୍ରବାସୀ ଆସିଥିବା ବେଳେ ୧୪ ଶହ ୧୧ ଜଣଙ୍କୁ କ୍ୱାରାଣ୍ଟାଇନରୁ ଛଡାଯାଇଛି। ତେବେ କ୍ୱାରାଣ୍ଟାଇନ ସେଣ୍ଟରରୁ ୬୧୮ ସ୍ବାବ ଓ କଣ୍ଟେନମେଣ୍ଟ ଜୋନରୁ ୭୬ ଜଣଙ୍କର ସ୍ବାବ ପରୀକ୍ଷା ପାଇଁ ନିଆଯାଇଛି। ତେବେ କଟିକଟା ପଞ୍ଚାୟତର ଜୈନିକ ଯୁବକ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା। ଜଇରାମପୁର ପଞ୍ଚାୟତର ଗୋଟିଏ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ତେବେ ଉଭୟ ସ୍ଥାନରୁ ସ୍ବାବ ନେଗେଟିଭ ଆସିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟମୁକ୍ତ ହୋଇଛନ୍ତି।

Share