ନିଶ୍ଚିନ୍ତକୋଇଲି ବ୍ଲକରେ ୪୩ କରୋନା ପଜିଟିଭ୍‌ ଚିହ୍ନଟ: ଅଞ୍ଚଳରେ ଭୟର ବାତାବରଣ, ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

ନିଶ୍ଚିନ୍ତକୋଇଲି,୧୩।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ସରକାରୀ ସଂଗରୋଧ କେନ୍ଦ୍ର ଓ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ବଡ଼ଖିର ପଞ୍ଚାୟତ ଗୋପପୁର ଗ୍ରାମର ୨ଜଣ, କଳମିଶ୍ରୀ ପଞ୍ଚାୟତର ୨ଜଣ ଅଛନ୍ତି। ଗୋପପୁରରେ ଚିହ୍ନଟ ଆକ୍ରାନ୍ତ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନରହି ବଜାରଘାଟ ବୁଲିବା ସହ ନିଜ ପରିବାର ସଦସ୍ୟଙ୍କ ସହ ମିଳାମିଶା କରିବାର ଅଭିଯୋଗ ହୋଇଥିଲା। ପ୍ରଶାସନ ଖବର ପାଇ ଶନିବାର ସକାଳୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ତଥା ପଞ୍ଚାୟତ ଲୋକ ପ୍ରତିନିଧିମାନେ ମିଳିତ ଭାବେ କଣ୍ଟାକ୍ଟ ଟ୍ରେସିଂ କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ୧୭ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ତହସିଲଦାର ଜିତେନ୍ଦ୍ର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ କଳମିଶ୍ରୀ ପଞ୍ଚାୟତର ଚିହ୍ନଟ ଦୁଇଜଣଙ୍କ ପରିବାରର ସଦସ୍ୟମାନଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ସେମାନଙ୍କ ସ୍ବାବ୍‌ ସଂଗ୍ରହ କରାଯିବ ବୋଲି ବିଡିଓ କର୍ଣ୍ଣଦେବ ସମାଧ୍ୟାର ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ କଡ଼ା କଟକଣା ଜାରି କରାଯାଇଛି। ତେବେ ଏତେ ସଂଖ୍ୟକ ଆକ୍ରାନ୍ତ ଏହା ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Share