ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଚର୍ଚ୍ଚାରେ ଅଭିନେତ୍ରୀ

ସମ୍ବଲପୁର,୧୬।୧୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ଏବଂ ଭିଡିଓ କରି ଫସିଯାଇଛନ୍ତି ଓଲିଉଡ୍‌ର ୩ ଅଭିନେତ୍ରୀ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଥିବା ଏହି ଅଭିନେତ୍ରୀ ହେଲେ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲଭ୍‌ଲୀ। ଏହି ଭିଡିଓରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଲି ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଡ୍ୟାମ୍‌ ମଧ୍ୟକୁ ଯିବା ନିଷିଦ୍ଧ ଥିଲେ ମଧ୍ୟ ସେମାନେ ସେଠାକୁ ଯାଇ କିପରି ଫଟୋ ଏବଂ ଭିଡିଓ ପ୍ରସ୍ତୁତ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାକୁ ନେଇ ଚର୍ଚ୍ଚାହେବା ପରେ ହୀରାକୁଦ ଏସ୍‌ଡିପିଓଙ୍କୁ ସମ୍ବଲପୁର ଏସ୍‌ପି କନ୍‌ୱାର ବିଶାଲ ସିଂ ରିପୋର୍ଟ ତଲବ କରିଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି କହିଥିବା ଜଣାପଡ଼ିଛି।

Share