ନିଷ୍କାସନ ହେଉନି ବର୍ଷାଜଳ, ଧାନ ଫସଲ ନଷ୍ଟ

ଶେରଗଡ,୧୯ା୮(ଡି.ଏନ.ଏ.)-ଶେରଗଡ଼ ବ୍ଲକ ଶେରଗଡ଼ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଏକର ଜମିର ଧାନ ଫସଲ ବର୍ଷା ଜଳରେ ବୁଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଛି। ଏନେଇ ସ୍ଥାନୀୟ ପ୍ରଶାସନକୁ ଲୋକମାନେ ଅଭିଯୋଗ କରିଛନ୍ତି ା ୧୫ ଦିନ ପୂର୍ବରୁ ବର୍ଷା ହୋଇଥିଲା। ଏହି ବର୍ଷା ପାଣି ବିଲରେ ଜମି ରହିଥିବା ବେଳେ ପୁଣି ବର୍ଷା ହୋଇଥିବାରୁ ପାଣି ନିଷ୍କାସନ ହୋଇପାରୁନି। ଏ ସମ୍ପର୍କରେ ସ୍ଥାନୀୟ ଚାଷୀମାନେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଅବଗତ କରିଛନ୍ତି ା ଏହି ପାଣିକୁ ନାଳ ଜରିଆରେ ନିଷ୍କାସନ ପାଇଁ ଚାଷୀମାନେ ବାରମ୍ବାର ଦାବି କରିଥିଲେ। କିନ୍ତୁ କିଛି ସୁଫଳ ମିଳୁନାହିଁ ବୋଲି ଚାଷୀ ବଳରାମ ରାଉତ କହିଛନ୍ତି।
ପ୍ରକାଶ ଯେ, କଳିଙ୍ଗ ବୈଶ୍ୟ ଭବନ ଛକରେ ଥିବା ଏକ ନାଳ ଦେଇ ୨୦ ଖଣ୍ଡ ଗ୍ରାମର ବର୍ଷା ପାଣି ପ୍ରବାହିତ ହୁଏ। ଉକ୍ତ ନାଳକୁ ସଫା ନ କରିବାରୁ ଏହି ପାଣି ପ୍ରତିବର୍ଷ ଶହ ଶହ ଭରଣ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛି ା ଏ ନେଇ ପ୍ରତିବର୍ଷ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଉକ୍ତ ନାଳ ଏକ ବିଲ ଦେଇ ଯାଉଥିବା ବେଳେ ବିଲର ମାଲିକ ପାଣି ନ ଛାଡିବାରୁ ପାଣିକୁ ଚାରିଛକ ଦେଇ ନନ୍ଦିନୀ ନଦୀରେ ପକାଇବା ପାଇଁ ଯୋଜନା କରି ପୂର୍ତ୍ତବିଭାଗ ନାଳ କାମ ଆରମ୍ଭ କଲା। କିନ୍ତୁ ସେହି ନାଳ ଦ୍ୱାରା ମଧ୍ୟ ପାଣି ନିସ୍କାସନ ହୋଇପାରୁନାହିଁ ା ଏହି ପାଣି ରହିବା ଯୋଗୁଁ ଶେରଗଡର ବଡଦାଣ୍ଡ ସାହି, ରମୁଣି ସାହି, ତୋଟାସାହି, ବାଲିସାହିର ଶତାଧିକ ପରିବାର ଏକ ପ୍ରକାର ଆଶଙ୍କାରେ ରହୁଛନ୍ତି ା କାରଣ କେତେବେଳେ ଯେ ପାଣି ବଢି ଉକ୍ତ ସାହିଗୁଡ଼ିକରେ ପଶିବ ତାହା କହିହେଉନାହିଁ ବୋଲି ଅବସରପ୍ରାପ୍ତ ଶିକ୍ଷକ ତଥା ବଡଦାଣ୍ଡ ସାହିର କୁମାର ସ୍ବାମୀ ଆଚାରୀ କହିଛନ୍ତି। ଦରକାର ପଡିଲେ ଉକ୍ତ ନାଳ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣ ରାଜ ରାସ୍ତାକୁ ଓହ୍ଲାଇବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବୁ ବୋଲି ଚାଷୀ ନିତ୍ୟାନନ୍ଦ ପଣ୍ଡା କହିଛନ୍ତି ା ଉକ୍ତ ନାଳ ସଂଯୋଗ କରୁଥିବା ରାସ୍ତା ଜାତୀୟ ରାଜପଥ ବିଭାଗର ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଉନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗ୍ରାମର ପାଣିନିଷ୍କାସନ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାମାଜିକକର୍ମୀ ଦୁର୍ଗାମାଧବ ବିଷୋୟୀ କହିଛନ୍ତି। ଏ ସମ୍ପର୍କରେ ଜାତୀୟ ରାଜପଥ ଯନ୍ତ୍ରୀ ପାର୍ଥସାରଥୀ ପ୍ରୟାଗରାଜ କହନ୍ତି ଶେରଗଡ ଏହି ସମାସ୍ୟାକୁ ଗୁରୁତର ଦେଇ ସରକାର ଏ ଦିଗରେ ବଡ ଯୋଜନା ଭାବେ ଗ୍ରହଣ କଲେ ଭଲ ହୁଅନ୍ତା। ଏ ନେଇ ଉପସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡ କହିଛନ୍ତି ଏହି ସମାସ୍ୟା ବହୁ ପୁରଣା ଏ ଦିଗରେ ଆମ୍ଭ ବିଭାଗ କିଛି କାମ କରୁଛି ା ଜାତୀୟ ରାଜପଥ ବିଭାଗ ଦୃଷ୍ଟି ଦେବା ଦରକାର।