ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ,୫ା୫: ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ଲାଗି ସରକାର ଟ୍ରେନ ଚଳାଚଳକୁ ଅନୁମତି ଦେଇଛନ୍ତି। ତେବେ ଶ୍ରମିକମାନଙ୍କ ଭଡ଼ା କିଏ ଦେବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେବା ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ୍‌ ଭଡ଼ା ଦେବାକୁ ପଡ଼ିବ ନାହିଁ। ଭଡ଼ାର ୮୫% ରେଲଓ୍ବେ ଭରଣା କରିବ ଏବଂ ରାଜ୍ୟ ସରକାର ଅବଶିଷ୍ଟ ୧୫ % ପ୍ରଦାନ କରିବେ ବୋଲି କେନ୍ଦ୍ର ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି।
ଶ୍ରମିକଙ୍କଠାରୁ ରାଜ୍ୟ ସରକାର ଭଡ଼ା ସଂଗ୍ରହ କରି ରେଲଓ୍ବେ ନିକଟରେ ଜମା କରିବେ ବୋଲି ରବିବାର ଗାଇଡ୍‌ଲାଇନରେ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳକୁ ଅନୁମତି ମିଳିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଶ୍ରମିକଙ୍କଠାରୁ ଭଡ଼ା ଆଦାୟ ନେଇ କିଛି କୁହାଯାଇ ନ ଥିଲା। ରେଲଓ୍ବେ ଓ ସମ୍ପୃକ୍ତ ରାଜ୍ୟ ଭଡ଼ା ବହନ କରିବ ବୋଲି ଗଣମାଧ୍ୟମକୁ ସରକାର ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ରେଳଭଡ଼ା ସମ୍ପୃକ୍ତ ରାଜ୍ୟ ଶାଖା କଂଗ୍ରେସ ଯୋଗାଇଦେବ ବୋଲି ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଘୋଷଣା କରିଥିଲେ। ରେଳ ମନ୍ତ୍ରଣାଳୟ ପିଏମ୍‌-କେୟାର ପାଣ୍ଠିକୁ ୧୫୧ କୋଟି ଟଙ୍କା ଦାନ କରିଥିବାବେଳେ ଦାଦନ ଶ୍ରମିକଙ୍କଠାରୁ ଭଡ଼ା ନେଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଥିଲେ। ପରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି।

Share