Categories: ଫୁରସତ

ନିୟତିର ଖେଳ : ଜାତୀୟ ସ୍ବର୍ଣ୍ଣବିଜେତା ଏବେ ଦିନ ମଜୁରିଆ

କାନପୁର : ନିୟତିର ଗତି ବଡ଼ ବିଚିତ୍ର। ପରିସ୍ଥିତି କେତେବେଳେ ବଦଳିଯାଏ ତାହା କହିହେବନି। ସଫଳତାର ପାହାଚ ଚଢ଼ି ଉପରକୁ ଯାଇଥିବା ଜଣେ ଖେଳାଳି ଏକ ସୁନ୍ଦର ଭବିଷ୍ୟତ ଆଶା କରୁଥିବାବେଳେ ଦିନ ମଜୁରିଆ ହେବା ଯେ କେତେ ପୀଡ଼ାଦାୟକ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ପରିସ୍ଥିତିକୁ ସାମନା କରିବାକୁ ପଡିଛି ଜାତୀୟସ୍ତରର ଉଦୀୟମାନ ଖେଳାଳି ବିପିନ ସେନ୍‌ଙ୍କୁ। ଉତ୍ତରପ୍ରଦେଶ କାନ୍‌ପୁରର ଅର୍ମାପୁର ବାସିନ୍ଦା ବିପିନ। ଦିନ ମଜୁରିଆ ଭାବେ ତାଙ୍କ ଦୀନ ବିତୁଛି। ଯେଉଁ ପଡ଼ିଆରେ ସେ ଖେଳ ପ୍ରଦର୍ଶନ କରିବାବେଳେ ଦର୍ଶକଙ୍କ ତାଳିରେ ପୂରା ପଡ଼ିଆ ଫାଟିପଡୁଥିଲା ସେହି ପଡ଼ିଆରେ ଘାସ କାଟୁଛନ୍ତି ଅର୍ମାପୁର ବାସିନ୍ଦା ୨୧ ବର୍ଷୀୟ ବିପିନ। ୨୦୧୬ରେ ରାଜ୍ୟସ୍ତରୀୟ କୁମ୍ଫୁ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ୨୦୧୬-୧୭ରେ ରାଜ୍ୟସ୍ତରରେ କିକ୍‌ ବକ୍ସିଂରେ ସ୍ବର୍ଣ୍ଣ ପଦକ ଜିତିବା ସହ ସେହି ବର୍ଷ ହରିୟାଣା କୁରୁକ୍ଷେତ୍ରରେ ଅନୁଷ୍ଠତି ଜାତୀୟ ପ୍ରତିଯୋଗିତାରେ ତାଙ୍କୁ ମିଳିଥିଲା ସ୍ବର୍ଣ୍ଣ ପଦକ । ଏହି ସଫଳତା ପାଇବା ପରେ ସେ ଏସିଆଡ୍‌ ଓ ଅଲିମ୍ପିକ୍‌ରେ ପଦକ ଜିତିବାର ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ଏଥିରେ ବାଧକ ସାଜିଛି ଅର୍ଥ। ତଥାପି ତାଙ୍କ ମନବଳ ଭାଙ୍ଗିଯାଇନି। ସେ ଦିନରେ ଗ୍ରୀନ୍‌ପାର୍କର ଘାସ କାଟୁଛନ୍ତି ଓ ରାତିରେ କିକ୍‌ ବକ୍ସିଂ ଅଭ୍ୟାସ କରୁଛନ୍ତି। ୨୦୧୬ରେ ବିପିନଙ୍କ ପିତାଙ୍କ ଦେହାନ୍ତ ହେବା ପରେ ପରିବାରର ଦାୟିତ୍ୱ ପଡିଥିଲା ତାଙ୍କ ଉପରେ। ମା’ ରାମଲଲିଙ୍କୁ ସାହାଯ୍ୟ କରିବା ତଥା ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ତାଙ୍କୁ ମଜୁରି ଲାଗିବାକୁ ପଡିଛି। ଗ୍ରୀନ ପାର୍କରେ ଘାସ କାଟିବା କାମ କଲେ ସେଠାରେ ତାଙ୍କୁ ଅଭ୍ୟାସର ସୁଯୋଗ ମିଳୁଛି ବୋଲି ବିପିନ କହିଛନ୍ତି। ସାହାସ, ମନବଳ ଓ ଏକାଗ୍ରତା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବ ବୋଲି ସେ ଦୃଢ ନିଶ୍ଚିତ।

Share