ନିୟମ ଉଲ୍ଲଂଘନ ଦେଶର ବିକାଶରେ ବାଧା ସୃଷ୍ଟି କରେ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ): ଭାରତ ବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ ଟ୍ରାଫିକ୍‌ ଲାଇଟ୍‌ ମାଧ୍ୟମରେ ଟ୍ରାଫିକ୍‌ ନିୟନ୍ତ୍ରିତ ହୋଇଥାଏ। କିନ୍ତୁ ଭାରତରେ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ପୋଲିସ ନିୟୋଜିତ ହୋଇଥିଲେ ମଧ୍ୟ ଲୋକେ ଟ୍ରାଫିକ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ତେଣୁ ମାନସିକତାରେ ପରିବର୍ତ୍ତନ ଓ ନିୟମକୁ ପାଳନ କରିବା ସହ ସଚେତନତା ମାଧ୍ୟମରେ ଏହାର ସରଳ ସମାଧାନ ହୋଇପାରିବ ବୋଲି ଭୁବନେଶ୍ୱର-କଟକର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଶୁକ୍ରବାର ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲରେ ଟ୍ରାଫିକ୍‌ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ପୋଲିସ କମିଶନର ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନକୁ ସମ୍ମାନ ଦେବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। କାୈଣସି ପ୍ରକାରର ନିୟମ ଉଲ୍ଲଂଘନ ଦେଶର ବିକାଶରେ ବାଧା ସୃଷ୍ଟି କରିଥାଏ। ତେଣୁ ଆଇନକୁ ସମ୍ମାନ ଦେଲେ ସମାଜ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିବ। କାର୍ଯ୍ୟକ୍ରମରେ ଭୁବନେଶ୍ୱର-କଟକର ଟ୍ରାଫିକ୍‌ ଡିସିପି ସାଗରିକା ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଟ୍ରାଫିକ୍‌ ନିୟମ ଓ ସୁରକ୍ଷିତ ଗାଡ଼ିଚାଳନା ସମ୍ପର୍କରେ ମହତ୍ତ୍ୱପୂର୍ଣ୍ଣ ସୂଚନାମାନ ଦେଇଥିଲେ। ଏକ ଭିଡ଼ିଓ ପ୍ରେଜେଣ୍ଟେଶନ୍‌ ମାଧ୍ୟମରେ ଭାରତରେ ପ୍ରତିିଦିନ ଘଟୁଥିବା ଦୁର୍ଘଟଣା ବିଷୟରେ ଗୁରୁତ୍ୱ ଦେଇ ଏନେଇ ସତର୍କତା ଓ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ ବୋଲି ସେ କହିଥିଲେ। ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଡିସିପି ନାଥ ଟ୍ରାଫିକ୍‌ ବ୍ୟବସ୍ଥାର ଦଶସୂତ୍ରୀ ନିୟମ ସମ୍ପର୍କରେ ବସ୍ତୃତ ଭାବେ ଆଲୋଚନା କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାଶନାଲ୍‌ର ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ କହିଥିଲେ ଯେ, ଯାତାୟାତ ସମୟରେ ଟ୍ରାଫିକ୍‌ ନିୟମକୁ ପ୍ରତ୍ୟେକ ବ୍ୟକ୍ତି ମାନିବା ଦରକାର ଏବଂ ସମସ୍ତଙ୍କ ମଧ୍ୟରେ ଏ ସଚେତନତା ରହିବା ନିହାତି ଆବଶ୍ୟକ। ସ୍କୁଲର ସିନିୟର୍‌ ପ୍ରିନ୍ସିପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ କହିଥିଲେ, ପ୍ରତ୍ୟେକ ନାଗରିକଙ୍କ ମିଳିତ ପ୍ରଚେଷ୍ଟା ଓ ମାନସିକତା ଦ୍ୱାରା ଟ୍ରାଫିକ୍‌ ନିୟମ ଉଲ୍ଲଂଘନକୁ ରୋକାଯାଇପାରିବ। ଶେଷରେ ଷ୍ଟ୍ରିଟ୍‌ ଥିଏଟର ଆକ୍ସନ୍‌ ଗ୍ରୁପ୍‌ର କଳାକାରମାନଙ୍କ ଦ୍ୱାରା ଟ୍ରାଫିକ୍‌ ଓ ସଡ଼କ ସଚେତନତା ଉପରେ ବ୍ୟଙ୍ଗାତ୍ମକ ନାଟକ ପରିବେଷଣ କରାଯାଇଥିଲା।

Share