ନିୟମ ଉଲ୍ଲଂଘନ ନେଇ ଗ୍ରସୋରି ଦୋକାନ ସିଲ୍‌

ସଜନାଗଡ଼, ୧୧।୪(ଡି.ଏନ.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ଲଗାଇବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଅମାନ୍ୟ କରାଯାଉଛି। ଫଳରେ କରୋନା ଭୂତାଣୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି।
ଶନିବାର ବାଲେଶ୍ୱର ଜିଲା ନୀଳଗିରି ବଜାର ଦୋକାନଗୁଡ଼ିକ ସମ୍ମୁଖରେ ଜନଗହଳି ଥିବା ଦେଖିବାକୁ ମିଳିଥିଲା। କେତେକ ବ୍ୟବସାୟୀ ଦୋକାନ ସମ୍ମୁଖରେ ବୃତ୍ତ ଚିହ୍ନ ଦେଇଥିଲେ ମଧ୍ୟ ସାମଗ୍ରୀ ବିକ୍ରି ବେଳେ ସାମାଜିକ ଦୂରତ୍ୱ ପ୍ରତି ଆଦୌ ଧ୍ୟାନ ଦିଆଯାଉ ନ ଥିଲା। ସେହିପରି ଅନେକ ବ୍ୟକ୍ତିଙ୍କ ମୁହଁରେ ମାସ୍କ ନ ଥାଇ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା। ନୀଳଗିରି ପ୍ରଶାସନ ପକ୍ଷରୁ ଖବରପାଇ ତହସିଲଦାର ଅଶେଷ ନାୟକ, ନୀଳଗିରି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ ଏବଂ ନୀଳଗିରି ପୋଲିସ ଅଧିକାରିଣୀ ମୀନତି ବିଶ୍ୱାଳ ମିଳିତ ଭାବେ ଚଢ଼ାଉ ଆରମ୍ଭ କରିଥିଲେ। ଚଢ଼ାଉରେ ନୀଳଗିରି ବଜାର ଦୁର୍ଗାମଣ୍ଡପ ନିକଟସ୍ଥ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ ଗ୍ରୋଶରି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ତାଙ୍କ ନାମରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକୁ ନେଇ ମାମଲା ରୁଜୁ କରାଯାଇଛି। ସେହିପରି ନୀଳଗିରି ଏନ୍‌ଏସି ପକ୍ଷରୁ ନୀଳଗିରି ମାର୍କେଟ୍‌କୁ ମାର୍କେଟିଂ ପାଇଁ ଆସିଥିବା ଜନସାଧାରଣ ମାସ୍କ ପିନ୍ଧି ନ ଥିବା ଯୋଗୁ ୧୦ଜଣଙ୍କ ନିକଟରୁ ୨ଶହ ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଥିଲା।