ନିୟମ କଡ଼ାକଡ଼ି କଲା ବିଏମ୍‌ସି: ଖୋଲାରେ ମଳତ୍ୟାଗ, ପରିସ୍ରା କଲେ ଜରିମାନା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଏଣିକି ଭୁବନେଶ୍ୱରରେ ଖୋଲାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଜରିମାନା ଦେବାକୁ ପଡିବ। ଏନେଇ ନିୟମ କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଖୋଲାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଗଣିବାକୁ ପଡ଼ିବ ବୋଲି ବିଏମ୍‌ସି ନିର୍ଦ୍ଦେଶନାମା ଜାରି କରିଛି। ଭୁବନେଶ୍ୱରକୁ ଖୋଲା ଶୌଚମୁକ୍ତ ସହରରେ ପରିଣତ କରିିବା ପାଇଁ ବିଏମ୍‌ସି ପକ୍ଷରୁ ଏପରି ପ୍ରୟାସ ହୋଇଛି ବୋଲି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି।
ତାଙ୍କ ସୂଚନାନୁସାରେ, ଦୈନିକ ୧ ଲକ୍ଷ ଲୋକଙ୍କ ଶୌଚ ପାଇଁ ବିଏମ୍‌ସି ଶୌଚାଳୟ ନିର୍ମିତ କରିଛି। ପାଖାପାଖି ୧୯୩ଟି ଦେୟମୁକ୍ତ ଶୌଚାଳୟରେ ୧୬୭୮ଟି ପାଇଖାନା ସିଟ୍‌ ରହିଛି। ଏହାସତ୍ତ୍ୱେ ଲୋକେ ବାହାରେ ଶୌଚ କରିବା ଛାଡ଼ୁ ନାହାନ୍ତି। ଏହି ଅଭ୍ୟାସ ଓ ମାନସିକତାରେ ରୋକ୍‌ ଲଗାଇବା ପାଇଁ ଏପରି କଟକଣା ଲଗାଇବାକୁ ବିଏମ୍‌ସି ବାଧ୍ୟ ହୋଇଛି। ସହରକୁ ସୁସ୍ଥ ଓ ସ୍ବଚ୍ଛ ରଖିବାକୁ ସର୍ବାଧିକ ଚେଷ୍ଟା ଚାଲିଛି। ଲୋକଙ୍କ ସୁବିଧା ପାଇଁ ବିଏମ୍‌ସି ନିୟମ କରୁଛି। ଲୋକେ ସହଯୋଗ କଲେ ସହର ହସିବ ଓ ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ପରିମଳ ବ୍ୟବସ୍ଥା ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଭୁବନେଶ୍ୱରକୁ ଖୋଲା ମଳମୁକ୍ତ କରିବାକୁ ବିଏମ୍‌ସି ବହୁଚେଷ୍ଟା କରୁଛି। ଲୋକଙ୍କୁ ଶୌଚାଳୟରେ ମଳତ୍ୟାଗ କରିବା ଓ ପରିସ୍ରା କରିବା ଲାଗି ନିୟମିତ ଭାବେ ସଚେତନ କରାଯାଉଛି। ଏବେ କଡ଼ା ନିୟମ ହୋଇଛି। ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଧରିବା ପାଇଁ ଜୋନ୍‌ ସ୍ତରରେ ଗୋଟିଏ ଲେଖାଏ ସ୍କ୍ବାଡ୍‌ ଗଠନ କରାଯାଇଥିବାବେଳେ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ଏହାର ପରିଚାଳନା କରିବାକୁ କୁହାଯାଇଛି। ସ୍କ୍ବାଡ୍‌ ଯେକୌଣସି ସମୟରେ ଯେଉଁଠିକୁ ବି ଯାଞ୍ଚ କରି ପଦକ୍ଷେପ ନେଇପାରିବ।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ବିଏମ୍‌ସିର ପରିମଳ ବିଭାଗ ପକ୍ଷରୁ ଇ-ଶୌଚାଳୟର ପରିଚାଳନା ଓ ଠିକ୍‌ ବ୍ୟବହାର ପାଇଁ ଠିକା ସଂସ୍ଥା ସୁଲଭ ଇଣ୍ଟରନ୍ୟାଶନାଲକୁ ତାଗିଦ୍‌ କରିଥିଲା। ସୁଲଭ ନାମରେ ବିଭିନ୍ନ ଅଭିଯୋଗ ଆସୁଥିବାରୁ ଏବେ ଇ-ଶୌଚାଳୟ ଦାୟିତ୍ୱ ବିଏମ୍‌ସି ନେବ ବୋଲି ଜଣାପଡ଼ିଛି।

Share