ନିୟମ ମାନିଲେ ମୋଦି: ମାସ୍କ ପିନ୍ଧି କଲେ ଭିଡିଓ କନଫରେନ୍ସିଂ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ଦୂରେଇବାକୁ ହେଲେ କେତେ ଗୁଡିଏ ନିୟମ ପାଳନ କରିବାକୁ କୁହାଯାଉଛି। ଯେମିତିକି ବାରମ୍ବାର ସାବୁନରେ ହାତ ଧୋଇବା, ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ଇତ୍ୟାଦି। ଏହାକୁ ଏବେ ପାଳନ କରିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଦେଶରେ ଲକଡାଉନ ଅବଧି ବୃଦ୍ଧିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେଉଥିବା ବେଳେ ମୋଦି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ତେବେ ଏହା କୌଣସି ଦାମୀ ମାସ୍କ ନୁହେଁ ବରଂ ଗାମୁଛାକୁ ସେ ମାସ୍କ ଭଳି ମୁହଁରେ ବାନ୍ଧିଥିବା ଦେଖାଯାଇଥିଲା। ଏହା ମାଧ୍ୟମରେ ମୋଦି ପୁଣିଥରେ ଏହି ବାର୍ତ୍ତା ଦେବାକୁ ଚାହୁଁଥିଲେ କି କରୋନା ଭାଇରସଠାରୁ ଦୂରେଇ ରହିବାକୁ ହେଲେ ମୁହଁ ଓ ନାକକୁ ଘୋଡାଇବା ଜରୁରୀ। ସୂଚନାଯୋଗ୍ୟ, କରୋନା ଭାଇରସକୁ ନେଇ ଏପ୍ରିଲ ୧୪ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ଓଡ଼ିଶା ଓ ପଞ୍ଜାବ ଏହାର ଅବଧିକୁ ଏପ୍ରିଲ ୩୦ ଓ ମେ’ ୧ ପର୍ଯ୍ୟନ୍ତ ଯଥାକ୍ରମେ ବୃଦ୍ଧି କରିଛନ୍ତି। ଏହାକୁ ନେଇ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶନିବାର ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି।

Share