Categories: ମେଟ୍ରୋ

ନୀତି ଆୟୋଗର ଏସିଆଇସି ସେଣ୍ଟର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର: ସୃଜନଶୀଳତା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ

ଭୁବନେଶ୍ୱର, ୧।୮(ବ୍ୟୁରୋ): ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର (ଏସିଆଇସି) ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର ଏପରି ଏକ ମଞ୍ଚ ଯେଉଁଠି ଏକ ପରମ୍ପରାଗତ ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର ମାର୍କେଟ୍‌ ସହ ଯୋଡିବାର ବ୍ୟବସ୍ଥା କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ନୀତି ଆୟୋଗର ଏସିଆଇସିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଏହି ସେଣ୍ଟର ଦେଶର ଅର୍ଥନୀତି ଓ ରୋଜଗାରକୁ ବଢ଼ାଇବାରେ ବହୁତ ବଡ଼ ମାଧ୍ୟମ ହେବ। ବିନା ଅଟଳ କମ୍ୟୁନିଟି ସେଣ୍ଟରରେ ଭାରତ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହୋଇପାରିବ ନାହିଁ। ଉର୍ଜା ସଂରକ୍ଷଣରେ ଘରୋଇ ଇନୋଭେସନ ଥିବାବେଳେ ଏଥିରେ ରହିଥିବା ନୀତିଗତ ସଂସ୍କାରରେ ସୁଧାର ଆଣିଲେ ଦେଶର ରୋଜଗାର, ଆମଦାନୀ ଓ ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିପାରିବ। ସବୁ ପଞ୍ଚାୟତରେ ଏହି ଏସିଆଇସି ସେଣ୍ଟର ହେବାର ଆବଶ୍ୟକତା ରହିଛି। ଆସନ୍ତା ୨୦ ବର୍ଷରେ ଉର୍ଜା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ୧ ନମ୍ବର ଦେଶ ହେବ। ସେହି ସମୟରେ ବିକଳ୍ପ ଉର୍ଜାର ସମ୍ବଳ କ’ଣ ଏବଂ କେଉଁଥିରୁ ଉପତ୍ାଦନ ହୋଇପାରିବ ସେନେଇ ଏହି ସେଣ୍ଟର ଅଭିନବ କୌଶଳ ମାଧ୍ୟମରେ ବାହାର କରିବାର ଆବଶ୍ୟକତା ରହିଛି। ଦେଶରେ ୬ ଶହ ମିଲିୟନ ମେଟ୍ରିକ୍‌ ଟନ ନନ୍‌ ଫସିଲାଇଜଡ୍‌ ବାୟୋମାସ କାର୍ବନ ରହିଥିବାବେଳେ ଏହି କମ୍ୟୁନିଟି ସେଣ୍ଟର ନୂତନ ପଦ୍ଧତି ଜରିଆରେ ଏହି ଉର୍ଜାକୁ ବାହାର କରିପାରିବ। ଭାରତରେ ପାଖାପାଖି ୧ କୋଟି ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥାଆନ୍ତି। ଏହି କମ୍ୟୁନିଟି ସେଣ୍ଟର ସେମାନଙ୍କୁ ଯଦି ମାର୍କେଟ ସହ ଯୋଡିବାର ପ୍ରଶିକ୍ଷଣ ବା ଶିକ୍ଷା ପ୍ରଦାନ କରିବ ତେବେ ସେମାନେ ବିକୁଥିବା ୩୦ ଟଙ୍କାର ଦ୍ରବ୍ୟ ୨ଶହ ଟଙ୍କାରେ ବିକାଯାଇପାରିବ। ଫଳରେ ସେମାନେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି। ଗରିବ ଶ୍ରେଣୀର ଲୋକଙ୍କୁ ଏହି ସେଣ୍ଟରରେ ଯୋଡ଼ିବା ନେଇ ନୀତି ଆୟୋଗର ଅଭିନବ ପଦକ୍ଷେପକୁ ଧର୍ମେନ୍ଦ୍ର ଭୂୟସୀ ପ୍ରଶଂସା କରିଛନ୍ତି।

Share