ନୀତି ଆୟୋଗ ର଼୍ୟାଙ୍କିଙ୍ଗ ଉପରେ ଗୁରୁତ୍ୱ ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ବିକାଶକୁ ନେଇ ରାଜ୍ୟଗୁଡିକର ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି। ଯେଉଁ ବିଷୟବସ୍ତୁକୁ ଆଧାର କରି ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି, ସେଗୁଡିକର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ନୀତି ଆୟୋଗକୁ ପରାମର୍ଶ ଦେଇଥିବା ଜଣାପଡିଛି। ରାଜ୍ୟଗୁଡିକର ବିଭିନ୍ନ ବିକାଶ କ୍ଷେତ୍ରକୁ ନେଇ ନୀତି ଆୟୋଗ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରିପୋର୍ଟ ପ୍ରକାଶ କରୁଥିବା ବେଳେ ରାଜ୍ୟଗୁଡିକୁ ର଼୍ୟାଙ୍କିଙ୍ଗ ମଧ୍ୟ କରୁଛନ୍ତି। ତେବେ ଏହି ସମୟରେ ନିର୍ଦ୍ଦିଷ୍ଟ କିଛି ମାନାଙ୍କକୁ ବିଚାରକୁ ନେବା ଲାଗି ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି। ନିକଟ ଭବିଷ୍ୟତରେ ନୀତି ଆୟୋଗ ପକ୍ଷରୁ ହେଲ୍‌ଦି ପ୍ରୋଗ୍ରେସିଭ୍‌ ଇଣ୍ଡିଆ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବା ସହିତ ରାଜ୍ୟଗୁଡିକର ର଼୍ୟାଙ୍କିଙ୍ଗ କହୁଥିବାବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରର ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ନ ଥିବା ବହୁ ଅଧିକାରୀ ଦର୍ଶାଇଥିଲେ। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ନୀତି ଆୟୋଗ ସହିତ ଯୋଗାଯୋଗରେ ଥିବା ଜଣାପଡିଛି। ପୂର୍ବରୁ ଅସୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି। ଏହି ଅଭିଜ୍ଞତା ଆଧାରରେ ସେ ନୀତି ଆୟୋଗକୁ କହିଥିବା ଜାଣିବାକୁ ମିଳିଛି। ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡିଶା ସର୍ବାଗ୍ରେ ରହିପାରିଛି। ୨୦୧୭-୧୮ରେ ମ୍ୟାଲେରିଆ ନିବାରଣରେ ଓଡିଶା ସବୁଠାରୁ ଆଗରେ ରହିପାରିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାକୁ ବହୁ ପ୍ରଶଂସା କରିଛି। କେନ୍ଦ୍ରୀୟ ସଚିବଙ୍କ କହିବାନୁଯାୟୀ ୨୦୧୮ରେ ଓଡିଶାରେ ୫୫ ପ୍ରତିଶତ ମ୍ୟାଲେରିଆ ନିବାରଣ ହୋଇପାରିଛି। ୨୦୧୭ରେ ଏହା ୬୭ପ୍ରତିଶତ ହ୍ରାସ ପାଇଥିଲା। ୨୦୧୮ ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ମଧ୍ୟ ରାଜ୍ୟ ମ୍ୟାଲେରିଆ ନିୟନ୍ତ୍ରଣ ସଫଳତା ସ୍ଥାନ ପାଇପାରିଛି। ମାତ୍ର ନୀତି ଆୟୋଗ ପକ୍ଷରୁ ଯେତେବେଳେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଏହାକୁ ଗୁରୁତ୍ୱ ଦିଆଯାଇନାହିଁ।