Categories: ଜାତୀୟ

ନୀତୀଶଙ୍କୁ ଟକ୍କର ଦେବେ ପୁଷ୍ପମ ପ୍ରିୟା

ପାଟନା,୯।୩: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଆଉ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକ ନୂଆ ଚେହେରା ଆସିଛି ଚର୍ଚ୍ଚାକୁ। ବ୍ରିଟେନରେ ପାଠ ପଢୁଥିବା ପୁଷ୍ପମ ପ୍ରିୟା ଚୌଧୁରୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟକ୍କର ଦେବେ ବୋଲି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି। ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ତଥା ନୀତୀଶଙ୍କ ନିକଟତମ ବିନୋଦ ଚୌଧୁରୀଙ୍କ ଝିଅ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ବିନୋଦ କହିଛନ୍ତି ଝିଅ ଏବେ ପ୍ରାପ୍ତ ବୟସ୍କା ତେଣୁ ତା’ ନିଷ୍ପତ୍ତି ଉପରେ ମୁଁ କିଛି କହିପାରିବି ନାହିଁ। ସୂଚନାଯୋଗ୍ୟ, ପୁଷ୍ପମ ରବିବାର ବିହାରର ପ୍ରାୟ ସମସ୍ତ ଖବରକାଗଜରେ ବିଜ୍ଞାପନ ଦେଇ ସେ ଏଥର ବିହାର ବଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ବିହାରର କିଛି ସ୍ଥାନରେ ତାଙ୍କର ପୋଷ୍ଟର ଲାଗିଥିବା ମଧ୍ୟ ଦେଖାଯାଇଛି। ତାଙ୍କର ନୂଆ ଦଳ ‘ପ୍ଲୁରାଲ୍ସ’ର ସେ ଅଧ୍ୟକ୍ଷା ଅଛନ୍ତି। ଯଦି ସେ ବିହାର ନିର୍ବାଚନରେ ବିଜୟ ଲାଭ କରନ୍ତି ତେବେ ସେ ୨୦୨୫ ବେଳକୁ ବିହାରକୁ ଏକ ବିକାଶଶୀଳ ରାଜ୍ୟରେ ପରିଣତ କରିବା ସହ ୨୦୩୦ ବେଳକୁ ଏହା ଯୁରୋପୀୟ ଦେଶ ଭଳି ହୋଇଯିବ ବୋଲି ପୁଷ୍ପମ କହିଛନ୍ତି। ଏଥର ସେ ନିର୍ବାଚନରେ ଜିତିବେ କିନ୍ତୁ ଭୋଟର ଏହାକୁ ଐତିହାସିକ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

Share