Categories: ବାଣିଜ୍ୟ

ନୀରବ ମୋଦିଙ୍କ ହାଜତ ମିଆଦ ସେପ୍ଟେମ୍ବର ୧୯ ଯାଏ ବୃଦ୍ଧି

ଲଣ୍ଡନ,୨୩-୮: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦ ସେପ୍ଟେମ୍ବର ୧୯ ଯାଏ ବୃଦ୍ଧି ପାଇଛି। ଭାରତକୁ ପ୍ରତ୍ୟର୍ପଣ ନେଇ ଆଗତ ମାମଲାର ସାମ୍ନା କରୁଥିବା ନୀରବଙ୍କୁ ଏବେ ବ୍ରିଟେନର ଓ୍ବଣ୍ଡସଓ୍ବର୍ଥ ଜେଲ୍‌ରେ ରଖାଯାଇଛି। ତାଙ୍କୁ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗୁରୁବାର ଓ୍ବେଷ୍ଟମିନିଷ୍ଟର ଅଦାଲତର ବିଚାରପତି ଟାନ ଇକରମ୍‌ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ସେପ୍ଟେମ୍ବର ୧୯ରେ ଶୁଣାଣି ବେଳେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ତାରିଖ ଘୋଷଣା କରାଯିବ। ପ୍ରାୟ ୨ ବିଲିୟନ ଡଲାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଜାଲିଆତି ମାମଲାରେ ନୀରବଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ତାଙ୍କୁ ଏହି ମାମଲାରେ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ବ୍ରିଟେନ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି। ବ୍ରିଟେନର ଆଇନ ଅନୁସାରେ ନୀରବଙ୍କୁ ୪ ସପ୍ତାହ ପରେ ଅଦାଲତରେ ହାଜର କରାଯାଇଥାଏ। ଏଥିପୂର୍ବରୁ ମୁଖ୍ୟ ବିଚାରପତିି ଏମ୍ମା ଆର୍ବଥନଟ ପ୍ରତ୍ୟର୍ପଣ ମାମଲାର ଶୁଣାଣି ୫ ଦିନ ଭିତରେ ସାରିବାକୁ ଉଭୟ ପକ୍ଷ ରାଜି ହୋଇପାରନ୍ତି ବୋଲି କହିଥିଲେ। ଭିଡିଓ ଲିଙ୍କ ଜରିଆରେ ଏହି ଶୁଣାଣି କରାଯିବ। ଅଦାଲତ ଏଥିପୂର୍ବରୁ ୪ ଥର ନୀରବଙ୍କ ଜାମିନ ଆବେଦନକୁ ଖାରଜ କରିସାରିଛନ୍ତି।

Share