ନୀଳଗିରିକୁ ଚାଲିବ ପାସେଞ୍ଜର ଟ୍ରେନ୍‌, ରେଳ ଅଧିକାରୀଙ୍କ ସର୍ଭେ ଆରମ୍ଭ

ସଜନାଗଡ଼, ୬।୯(ଡି.ଏନ.ଏ.)-ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଲାଗି ବାରମ୍ବାର ଦାବି ହୋଇଆସୁଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ପ୍ରଚେଷ୍ଟାରେ ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚାଲିବା ନେଇ ସବୁଜ ସଂକେତ ମିଳିଛି। ଗୁରୁବାର ରେଳ ବିଭାଗର ଅଧିକାରୀମାନେ ନୀଳଗିରି ଡାହାଣୀମରାଠାରୁ ସର୍ଭେ ଆରମ୍ଭ କରିଛନ୍ତି।
ନୀଳଗିରିଠାରୁ ୩କି.ମି. ଗୋପୀନାଥପୁର ପର୍ଯ୍ୟନ୍ତ ରେଳ ଲାଇନ୍‌ ସଂଯୋଗ ରହିଛି। ଏହି ରେଳଲାଇନ୍‌ର ବିଦ୍ୟୁତ୍‌କରଣ ମଧ୍ୟ ହୋଇଛି। ପୂର୍ବରୁ ଏହି ଅଞ୍ଚଳକୁ ରେଳବିଭାଗ ପଥର, ବାଲି, ମେଟାଲ ନିଜସ୍ବ କାର୍ଯ୍ୟ ପାଇଁ ବୋଝେଇ କରି ନେଉଥିଲା। ଏପରିକି ଏଠାରେ ସ୍ଥାପିତ ସ୍ଲିପର କାରଖାନାରେ ରେଳଲାଇନ୍‌ ତଳେ ବିଛାଇବା ପାଇଁ ସ୍ଲିପର ନିର୍ମାଣ ହେଉଥିଲା। ଦୀର୍ଘ ବର୍ଷ ଧରି ଏଠାରେ ଟ୍ରେନଲାଇନ ରହିଛି। ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଲାଗି ପୂର୍ବରୁ ବହୁ ବିଧାୟକ, ଏମ୍‌ପି ଓ ମନ୍ତ୍ରୀଙ୍କୁ ବହୁବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଦାବିକୁ ଯଥାର୍ଥ ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ବିଭାଗୀୟ ମନ୍ତ୍ରୀଙ୍କୁ ଏକ ଲିଖିତ ପତ୍ର ଦେଇଥିଲେ। ଏଥିରେ ଡାହାଣୀମରା ନିକଟରେ ପାସେଞ୍ଜରଙ୍କ ପାଇଁ ଷ୍ଟେଶନ ନିର୍ମାଣ ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି ଚିଠିକୁ ଗୁରୁତର ସହ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟେଲ୍‌ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଥିଲେ। ତେବେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସବୁଜ ସଙ୍କେତ ପାଇଲା ପରେ ରେଳ ବିଭାଗର ଅଧିକାରୀମାନେ ସର୍ଭେ କରିଥିଲେ। ଏ ନେଇ ନୀଳଗିରିଙ୍କୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିବା ଆଶା ଉଦ୍‌ଜୀବିତ ହୋଇଛି।