ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ, ୧୮।୫: ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଠିକ୍‌ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ଏହି ଦୁଇଟିକୁ ନେଇ ସହର ବଜାର ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ଅପରାହ୍ନରେ ହାଲ୍‌କା ପବନରେ ବାନା ଉଡ଼ିଯିବାକୁ ନେଇ ଭକ୍ତଙ୍କ ମଧ୍ୟରେ ନାନା ପ୍ରକାର ଆଲୋଚନା ଆରମ୍ଭ ହୋଇଯାଇଛି। ବାନା ଉଡ଼ିଯିବା ଏକ ଅଶୁଭ ସଙ୍କେତ କେହି କେହି କହୁଥିବା ବେଳେ ଆଉ କେହି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ଯୋଗୁ ଏଭଳି ଅଘଟଣ ସାମ୍ନାକୁ ଆସିଥିବା କହୁଛନ୍ତି।