ନୀଳମାଧବ ଜୀଉଙ୍କ ଚନ୍ଦନ ଲାଗି ଆରମ୍ଭ

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ଦେବତା କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ବେଶ ସୋମବାର ଦୋଳ ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇଛି। ମାନବ ସମାଜରେ ଋତୁ ଚକ୍ରର ଯେପରି ପ୍ରଭାବ ପଡ଼ିଥାଏ ସେହିପରି ଦେବଦେବୀଙ୍କ ପାଇଁ ଋତୁ ଅନୁସାରେ ବିଭିନ୍ନ ନୀତିର ବ୍ୟବସ୍ଥା ହୋଇଥାଏ। ଶୀତରୁ ରକ୍ଷା ପାଇବା ପାଇଁ ଜଣେ ଯେପରି ଶୀତ ବସ୍ତ୍ର ପରିଧାନ କରିଥାଏ, ଠିକ୍‌ ସେହିପରି ଦେବତାମାନଙ୍କ ପାଇଁ ଏ ବ୍ୟବସ୍ଥାର ମଧ୍ୟ ପ୍ରଚଳନ ହୋଇଥାଏ। ଶ୍ରୀନୀଳମାଧବ ଜୀଉ ମାର୍ଗଶିର ୬ଷ୍ଠୀଠାରୁ ଶୀତରୁ ରକ୍ଷା ପାଇବା ପାଇଁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ଓଢଣ ଲାଗି ବେଶ ଓ ଶ୍ରୀପଞ୍ଚମୀଠାରୁ ଦୋଳ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଜାମାଲାଗି ବେଶ ହୋଇଥାନ୍ତି ା ତେବେ ଦୋଳ ପୂର୍ଣ୍ଣମୀଠାରୁ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଥିବାରୁ ଶ୍ରୀଜୀଉମାନଙ୍କୁ ଗରମରୁ ରକ୍ଷା ପାଇବା ପାଇଁ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଇଥାଏ। ସୋମବାର ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କୁ ଚନ୍ଦନଲାଗି ତଥା ସର୍ବାଙ୍ଗ ବେଶ କରାଯାଇଥିଲା। ଏହି ବେଶ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ।

Share