ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ: ପୁଞ୍ଜି ଲଗାଇ ପୁନରୁଦ୍ଧାର କରାଯାଇପାରନ୍ତା: ଶ୍ରୀକାନ୍ତ

ଭୁବନେଶ୍ୱର,୧୩ା୧(ବ୍ୟୁରୋ) କେନ୍ଦ୍ର କ୍ୟାବିନେଟ୍‌ ନିକଟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ରୁ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି। କେନ୍ଦ୍ରର ଏହି ପଦକ୍ଷେପକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରବିବାର ସମାଲୋଚନା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ସରକାର ଚାହିଁଥିଲେ ପୁଞ୍ଜି ଲଗାଇ ଏହି ଉଦ୍ୟୋଗର ପୁନରୁଦ୍ଧାର କରିପାରିଥାନ୍ତେ। ହେଲେ କେନ୍ଦ୍ର ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି। ଏହା ଅପରାଗତାର ପ୍ରମାଣ ବୋଲି ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି। ପୁଞ୍ଜି ପ୍ରତ୍ୟାହାର ବାହାନାରେ କେନ୍ଦ୍ର ସରକାର ଏହାକୁ ପରୋକ୍ଷରେ ବିକି ଦେବା ପାଇଁ ବାଟ ପ୍ରଶସ୍ତ କରିଛନ୍ତି। ଦୁଃଖର ବିଷୟ ରାଜ୍ୟ ସରକାର କେନ୍ଦ୍ରର ଏହି ନିଷ୍ପତ୍ତିକୁ ମୁଣ୍ଡପାତି ସହି ନେଇଛନ୍ତି। ପ୍ରତିବାଦ କରିବା ପରିବର୍ତ୍ତେ ସରକାର ରାଜ୍ୟ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରରେ ଭାଗୀଦାର ହୋଇଛନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ନୀଳାଚଳ ଇସ୍ପାତର ଉପତ୍ାଦନ କ୍ଷମତା ବାର୍ଷିକ ୧.୧ ନିୟୁତ ଟନ୍‌ ରହିଛି। ଏହାକୁ ୧୦ନିୟୁତକୁ ବୃଦ୍ଧି କରାଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଉଛି। ଦକ୍ଷତା ବୃଦ୍ଧି ପାଇଁ ପୁଞ୍ଜି ପ୍ରତ୍ୟାହାର ଏକମାତ୍ର ମାଧ୍ୟମ ନୁହେଁ। ସରକାର ଚାହିଁଥିଲେ ଆର୍ଥତ୍କ ସହାୟତା ନେଇ ଏହି ସଂସ୍ଥାର ପୁନରୁଦ୍ଧାର କରିପାରିଥାନ୍ତେ। ୧୯୯୬ ମସିହାରେ ସେ କେନ୍ଦ୍ର କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ସମୟରେ ୧୨୦କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ଫଳସ୍ବରୂପ ଏହାର ଉପତ୍ାଦନ ବୃଦ୍ଧି ଘଟିଥିଲା। ନରେନ୍ଦ୍ର ମୋଦିଙ୍କ ସରକାର ଶାସନକୁ ଆସିବା ପରଠୁ ଉଦ୍ଦେଶ୍ୟମୂଳକ ଭାବେ ଏହି ସଂସ୍ଥାକୁ ରୁଗ୍‌ଣ ଦର୍ଶାଇ ବିକିଦେବା ପାଇଁ ମସୁଧା ଆରମ୍ଭ ହୋଇଯାଇଥିଲା। ୨୦୧୩ ମସିହାରେ ଏନ୍‌ଆଇଏନ୍‌ଏଲ୍‌କୁ ସୁନ୍ଦରଗଡ଼ର କେପ୍‌ଟିଭ୍‌ ମାଇନ୍ସ ମିଳିଥିଲା। ୬ବର୍ଷରୁ ଅଧିକ ସମୟ ବିତିଗଲାଣି, ହେଲେ କେନ୍ଦ୍ର ସରକାର ଏହି ଖଣିକୁ ପରିବେଶ ମଞ୍ଜୁରୀ ଦେଉନାହାନ୍ତି। ଫଳରେ ବଜାର ଦରଠାରୁ ଅଧିକ ଦରରେ ଲୁହାପଥର କିଣୁଛି। ତଥାପି ଏନ୍‌ଆଇଏନ୍‌ଏଲ୍‌ ଲାଭ କରୁଛି। ଗତ ବର୍ଷ ୨୧୦୦ କୋଟି ଟଙ୍କାର ବ୍ୟବସାୟ କରିଛି। କୌଣସି ଗୋଟିଏ ବର୍ଷ କୌଣସି ଏକ ଶିଳ୍ପ ସଂସ୍ଥା ଯଦି କ୍ଷତି କରୁଛି, ତେବେ ତାକୁ ବନ୍ଦ କରିଦେବା ବିକଳ୍ପ ନୁହେଁ ବୋଲି ଶ୍ରୀକାନ୍ତ କହିଛନ୍ତି। ସେହିଭଳି ରାଜ୍ୟ ସରକାର ୩୯ ପ୍ରତିଶତ ଅଂଶଧନର ପୁଞ୍ଜି ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି। ହେଲେ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ବ୍ୟାଙ୍କ୍‌ରେ ୨ ହଜାର କୋଟି ଟଙ୍କା ରହିଛି। କେବଳ ରାଜ୍ୟ ସରକାର ଚାହିଁଥିଲେ ମଧ୍ୟ ଏନ୍‌ଆଇଏନ୍‌ଏଲ୍‌ର ପୁନରୁଦ୍ଧାର କରିପାରିଥାନ୍ତେ।

Share