Categories: ରାଜ୍ୟ

ନୀଳାଦ୍ରି ବିଜେ: ମାହାରୀ ନୃତ୍ୟ ଓ ଭଜନ ସନ୍ଧ୍ୟା

ଭାପୁର,୧୬ା୭(ଡି.ଏନ୍‌.ଏ.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜିତ ହୋଇଥିଲା। ଭାପୁର ବଜାରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର କମିଟି ତରଫରୁ ଠାକୁରଙ୍କ ଏହି କାର୍ଯ୍ୟକ୍ରମ ଆଡ଼ମ୍ବର ସହ ପାଳନ କରାଯାଇଛି। କମିଟି ମୁଖ୍ୟ କାର୍ଯ୍ୟକର୍ତ୍ତା ସୁ୍‌ମନ୍ତ କୁମାର ଜେନାଙ୍କ ନେତୃତ୍ୱରେ ପରିଚାଳିତ କାର୍ଯ୍ୟକ୍ରମରେ ସୋମବାର ସନ୍ଧ୍ୟାରେ ଶ୍ରୀଜୀଉମାନଙ୍କ ନୀଳାଦ୍ରି ବିଜେ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାବେଳେ ଭୁବନେଶ୍ୱରସ୍ଥ ନୃତ୍ୟାୟନ ଟ୍ରଷ୍ଟର ନୃତ୍ୟଶିଳ୍ପୀ ସୁନୀତା ମହାରଣା ଓ ମୌସୁମୀ ରଣାଙ୍କ ମାହାରୀ ନୃତ୍ୟ ଦର୍ଶକଙ୍କୁ ବେଶ୍‌ ମୁଗ୍ଧ କରିଥିଲା। ନୃତ୍ୟ ପରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ, ଭିକାରୀ ମହମ୍ମଦ ଓ ଜ୍ୟୋତିର୍ମୟୀ ତ୍ରିପାଠୀ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ତହସିଲଦାର ସୁନୀତା ଜେନା ସଭାପତିତ୍ୱ କରିଥିଲେ। ଅନ୍ୟତମ ଅତିଥି ଭାବେ ଖବରଦାତା ରବୀନ୍ଦ୍ର କୁମାର ପଟ୍ଟନାୟକ, ସାମାଜିକ କର୍ମୀ ବସନ୍ତ କୁମାର ମାଝି, ଗଙ୍ଗାଧର ବାରିକ, ଜିତେନ୍ଦ୍ର କୁମାର ରଣସିଂ, ନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ରାତ୍ର ୧୨ଟାରେ ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ମନ୍ଦିରକୁ ବିଜେ କରିଥିଲେ।
ଫଟୋ-ଉତ୍ସବରେ ଯୋଗଦେଇଥିବା ଅତିଥି ଓ କଳାକାର।

Share