Categories: ଜାତୀୟ

ନୁହେଁ ମୁଁ ପରମାତ୍ମା ଅବା ଧର୍ମରାଜ; ମାର୍ଚ୍ଚ ୩ରେ ବି ହେବନି ଫାଶୀ: ନିର୍ଭୟା ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ

ନୂଆଦିଲ୍ଲୀ,୧୮।୨: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ଗତ ୪୧ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏଭଳି ଓ୍ବାରେଣ୍ଟ୍‌ ଜାରି ହୋଇଛି। ତେବେ ଏହାକୁ ନେଇ ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ କହିଛନ୍ତି ଯେ, ମାର୍ଚ୍ଚ ୩ରେ ମଧ୍ୟ ଫାଶୀ ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ଜଣେ ଦୋଷୀଙ୍କ ପାଖରେ ରାଜକ୍ଷମା ଏବଂ କ୍ୟୁରେଟିଭ୍‌ ପିଟିଶନ ବିକଳ୍ପ ବାକି ରହିଛି। ତେବେ ଦୋଷୀଙ୍କ ପରିବାର ବର୍ଗଙ୍କ ସହିତ କଥାବାର୍ତ୍ତା ହେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରାଯିବ। କେତେ ଦିନ ପର୍ଯ୍ୟନ୍ତ ଫାଶୀକୁ ଟାଳି ହୋଇପାରିବ ବୋଲି ପ୍ରଶ୍ନର ଉତ୍ତରରେ ଏ.ପି. ସିଂ କହିଛନ୍ତି ଯେ, ମୁଁ ପରମାତ୍ମା ନୁହେଁ କିମ୍ବା ଧର୍ମରାଜ ନୁହେଁ। ତେବେ ଦୋଷୀଙ୍କ ସୁବିଧା ତଥା ଭାରତର ସମ୍ବିଧାନ ଆଧାରରେ ମୁଁ କେବଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବି। ସୂଚନାଯୋଗ୍ୟ, ଦୋଷୀଙ୍କ ବିରୋଧରେ ଏକ ଲୁଟ ମାମଲାରେ ଦିଲ୍ଲୀ ହାଇକୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ୍‌ କରାଯାଇଥିବା ମାମଲା ଏବେ ହାଇକୋର୍ଟରେ ବିଚାରାଧିନ ରହିଛି। ସେହିପରି ୨୦୧୮ ଜେଲ୍‌ ମାନୁଆଲ୍‌ ଅନୁସାରେ ଦୋଷୀଙ୍କ ପାଖରେ ଯେପର୍ଯ୍ୟନ୍ତ କୌଣସି ଆଇନଗତ ବିକଳ୍ପ ରହିଛି ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ। ସେହିପରି ରାଜକ୍ଷମା ଖାରଜ ହେବା ପରେ ମଧ୍ୟ ୧୪ ଦିନର ସମୟ ଦିଆଯିବାର ଆଇନ ରହିଛି।

Share