ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ପରିବାର ୫ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମନୋଜ ନାୟକ(୨୫)। ଆହତମାନେ ହେଲେ ବିଜୁ ନାୟକ, ସ୍ତ୍ରୀ ଗେଲି ନାୟକ, ମା’ ଇନ୍ଦୁ ନାୟକ, ବାପା ଉଲା ନାୟକ ଏବଂ ଅନ୍ୟ ପରିବାରର ପୁନିଆ ନାୟକ। ତେବେ ଖବରପାଇ ସୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିଭଳି ୪ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିବା ସୂଚନା ମିଳିଛି। ଉଭୟ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ରହିଆସୁଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି।