ନୂଆଖାଇ ପାଳନ ବେଳେ ବଚସା: ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ସାଙ୍ଗ

କୋଟଗଡ଼,୧୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଗ୍ରାମରେ ବୁଧବାର ନୂଆଖାଇ ପର୍ବ ପାଳନ ବେଳେ କୌଣସି କାରଣକୁ ନେଇ ତିନି ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ଗୁରୁବାର ସକାଳେ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ ହେଲେ ବାଦଲ ବେହେରଦଳେଇ।
ସୂଚନାନୁଯାୟୀ, ନୂଆଖାଇ ପାଇଁ ବାଦଲ ଏବଂ ତାଙ୍କ ସାଙ୍ଗ ଅନନ୍ତ ବିନ୍ଧାଣି, ବୁଟୁଲୁ ବେହେରଦଳେଇ ମିଶି ମଦ ପିଇଥିଲେ। ହେଲେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପୂର୍ବାହ୍ନରେ ପୁଣି ଥରେ ଉକ୍ତ କଥାକୁ ନେଇ ସେମାନେ ଧସ୍ତାଧସ୍ତି ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ବାଦଲଙ୍କୁ ଅନ୍ୟ ଦୁଇ ବନ୍ଧୁ ହତ୍ୟା କରିଛନ୍ତି। ଏନେଇ ବାଦଲଙ୍କ ପରିବାର ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଅନନ୍ତଙ୍କୁ ଅଟକ ରଖିଛି। ତେବେ ଅନ୍ୟ ଅଭିଯୁକ୍ତ ବୁଟୁଲୁ ଫେରାର ଥିବା ଜଣାପଡ଼ିଛି।

Share