ନୂଆଗାଁକୁ ବ୍ୟାପିଲା କରୋନା ସଂକ୍ରମଣ

ନୂଆଗାଁ, ୭।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ବିଭିନ୍ନ କ୍ବାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ ଜଣ ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ସେମାନଙ୍କ ମଧ୍ୟରୁ ଜଣେ ନୂଆଗାଁ ବ୍ଲକର ବୋଲି ଜଣାପଡିଛି । ନୂଆଗାଁରେ ପ୍ରଥମ ଥର ପାଇଁ କରୋନା ରୋଗୀ ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି । ଉକ୍ତ ରୋଗୀ ଅନ୍ୟ ରାଜ୍ୟରୁ ଆସି ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ ା ପ୍ରଶାସନ ପକ୍ଷରୁ ନୂଆଗାଁ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ସୋମବାର ବସିବାକୁ ଥିବା ସାପ୍ତାହିକ ହାଟକୁ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି । ସେହିଭଳି ନୂଆଗାଁ ସଦର ମାର୍କେଟକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍ପୃକ୍ତ କରୋନା ସଂକ୍ରମିତ ରୋଗୀ କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ପ୍ରଶାସନ ତରଫରୁ ଯାଞ୍ଚ କରାଯାଉଛି । କରୋନା ସଂକ୍ରମିତ ରୋଗୀ ଜଣକ ଏବେ ରାଉରକେଲା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ା ସବୁଠାରୁ ଉଦ୍‌ବେଗର ବିଷୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଲୋକେ ସରକାରୀ କଟକଣାକୁ ମାନୁନାହାନ୍ତି । ବିଶେଷ କରି ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତ୍ୱ କଟକଣାକୁ ଲୋକେ ଗ୍ରହଣ କରୁ ନ ଥିବାରୁ ଏହି ରୋଗ ଏବେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି ା