ନୂଆପଡ଼ାରେ ୧୫ରୁ ଧାନ କିଣା ହେବ

ନୂଆପଡା ଅଫିସ,୧୨ା୫- ନୂଆପଡ଼ା ଜିଲାରେ ଆସନ୍ତା ୧୫ ତାରିଖଠାରୁ ଧାନକିଣା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି। ଜିଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଏ ନେଇ  ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଲାରେ ଏଥର  ୮ହଜାର ୫୫୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ୨ଲକ୍ଷ ୨୦ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିସକାଶେ ଜିଲାର ୫ଟି ବ୍ଲକରେ ମୋଟ ୪୩ଟି ମଣ୍ଡି ଖୋଲାଯିବାର ବ୍ୟବସ୍ଥା ହୋଇଛି। ୨୬ଟି କୃଷି ସେବାସମବାୟ ସମିତି ଜରିଆରେ ୨୯ଟି ମଣ୍ଡି ଏବଂ ୧୪ଟି ମହିଳା ସ୍ବଂୟ ସହାୟକ ଦଳ ମଣ୍ଡି ଖୋଲିବେ। ମଣ୍ଡି ଗୁଡିକରେ କୋଭିଡ୍‌ ଗାଇଡ୍‌ ଲାଇନ ପାଳନକୁ ଗୁରୁତ୍ୱ ଦିଆଯିବ। ଚାଷୀ ଏବଂ କର୍ମଚାରୀମାନେ ସାମାଜିକ ଦୂରତ୍ୱ ପାଳନ ସହ ମାସ୍କ ଓ ସାନିଟାଇଜର ବବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ବୈଠକରେ ଜିଲାପାଳ ସାହୁ ସଭାପତିତ୍ୱ କରିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ସହ କୃଷକ ପ୍ରତିନିଧିମାନେ ଯୋଗ ଦେଇଥିଲେ।