ନୂଆପଡାକୁ ଦୁର୍ଘଟଣାମୁକ୍ତ ସହର କରାଯିବ: ସଚେତନତା ପାଇଁ ବାହାରିଲା ପୋଲିସ

ନୂଆପଡା ଅଫିସ,୬ା୯-ରାଜ୍ୟର ଉପାନ୍ତ ତଥା ପଡୋଶୀ ଛତିଶଗଡ ସୀମାନ୍ତବର୍ତ୍ତୀ ନୂଆପଡା ଜିଲାରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ବହୁ ମୂଲ୍ୟବାନ ଜୀବନ ହାନି ଘଟୁଛି । ଅନ୍ୟପକ୍ଷେ ଭାରତ ସରକାର ନୂତନ ଭାବେ ସଂଶୋଧିତ ମୋଟର ଯାନ ଚଳାଚଳ ଅଧିନିୟମକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା କରିଛନ୍ତି । ଏହାକୁ ଠିକ କାର୍ଯ୍ୟକାରୀ କରି ନୂଆପଡାକୁ ଏକ ଦୁର୍ଘଟଣାମୁକ୍ତ ସହର ଭାବେ ଗଢିତୋଳିବା ବୋଲି ନୂଆପଡା ଥାନାଧିକାରୀ ଆଦିତ୍ୟ ମହାକୁଡ ଆହ୍ବାନ ଦେଇଛନ୍ତି । ଗୁରୁବାର ସ୍ଥାନୀୟ ଏକତା ଛକ ନିକଟରେ ଆୟୋଜିତ ସଚେତନତା ସଭାରେ ସେ ଏହା କହିଛନ୍ତି । ଏହିକ୍ରମରେ ଦୀର୍ଘ ଘଣ୍ଟାଏକାଳ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏଥିରେ ବ୍ୟାପକ ସଂଖ୍ୟାରେ ମହିଳାପୁରୁଷ ଅଧିକାରୀମାନେ ନିୟୋଜିତ ଥିଲେ । ସମସ୍ତଙ୍କ ହାତରେ ସଚେତନତା ସକାଶେ ପ୍ରଚାର ପତ୍ର ରହିଥିଲା । ସମସ୍ତ ପଥଚାରୀ, ଗାଡି ଚାଳକମାନଙ୍କୁ ପୋଲିସ ଟିମ ଅଟକାଇ ବିଭିନ୍ନ ସଚେତନତାର ମନ୍ତ୍ର ଦେଉଥିଲେ। ସୂଚନାଯୋଗ୍ୟ ଯେ, ସରକାର ନୂତନ ଭାବେ ମୋଟର ଯାନ ଆଇନ ୧୯୮୮କୁ ସଂଶୋଧନ କରି ଏହାକୁ ଗତ ୧ ତାରିଖଠାରୁ କଡାକଡି ଭାବେ ଲାଗୁ କରିଛନ୍ତି । ଏହି ନିୟମାବଳୀରେ ଯାତ୍ରୀ, ଚାଳକ, ମାଲିକମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡବିଧାନ କରାଯାଇଛି । ଏଥିସକାଶେ ପ୍ରଥମେ ସମସ୍ତଙ୍କ ମଧ୍ୟରେ ସଚେତନତା ଆଣିବାକୁ ଗୁରୁବାର ଏହି ଅଭିଯାନ କରାଯାଇଥିଲା । ଆଗକୁ ଯେମିତି ଦଣ୍ଡିତ ନ ହୁଅନ୍ତୁ ସେଥିସକାଶେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଥାନାଧିକାରୀ ମହାକୁଡ ନେତୃତ୍ୱ ନେଇଥିବାବେଳେ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ସହରର ବହୁ ସଚେତନ ନାଗରିକ ଆଗକୁ ଆସି ଏଥିରେ ସାମିଲ ରହିଥିବା ଦେଖାଯାଇଥିଲା । ଏହି ଅଭିଯାନକ୍ରମେ ଜିଲାବ୍ୟାପି ଚାଲିବାକୁ ଥିବା ଜଣାପଡିଛି ।