ନୂଆବର୍ଷକୁ ସ୍ବାଗତ ଲାଗି ପର୍ଯ୍ୟଟନସ୍ଥଳୀ ଉତ୍ସବମୁଖର

ଭୋଗରାଇ, ୧।୧(ଡି.ଏନ.ଏ.)-ରାତି ପାହିଲେ ଆସିବ ନୂଆବର୍ଷ ୨୦୨୦। ୨୦୧୯ବର୍ଷର ଶେଷଦିନକୁ ସ୍ମରଣୀୟ କରିବା ପାଇଁ ସବୁଆଡେ ପରିବେଶ ଉତ୍ସବମୁଖର ହୋଇପଡିଛି। ବାଲେଶ୍ୱର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କ ଭିଡ ପରିଲକ୍ଷିତ ହୋଇଛି। ମଙ୍ଗଳବାରଠାରୁ ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋଟୁରିଜିମ୍‌ ବେଳାଭୂମିରେ ବହୁ ପର୍ଯ୍ୟଟକଙ୍କ ସମାବେଶ ହୋଇଛି। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବ ଓ ଏସିଆର ସର୍ବବୃହତ ଶିବଲିଙ୍ଗ ଭୁଷଣ୍ଡେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି। ଏତଦ୍‌ଭିନ୍ନ ଭୋଗରାଇ ସୀମାନ୍ତ ଦୀଘା ଶଙ୍କରପୁରର, ତାଜପୁର, ମନ୍ଦାରମଣୀର ଲକ୍ଷାଧିକ ପର୍ଯ୍ୟଟକଙ୍କୁ ଆଗମନ ହୋଇଛି। ପୂର୍ବବର୍ଷକୁ ବିଦାୟ ଦେବା ଉଦ୍ଦେଶ୍ୟରେ ଯୁବତୀଯୁବକଙ୍କ ବିଭିନ୍ନ ରାସ୍ତାରେ ଡାକବାଜି ଯନ୍ତ୍ର, ଭୋଜିଭାତ, ସଙ୍ଗୀତନୃତ୍ୟର ଆସର ଜମିଛି। ଭୋଗରାଇ ବ୍ୟତୀତ ବାଲିଆପାଳର ଚୌମୁଖ, ଡଗରା, ବାହାବଳପୁର, ବାଲେଶ୍ୱରର ଚାନ୍ଦିପୁର ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ଦୀଘା, ଉଦୟପୁର ବେଳାଭୂମିରେ ପର୍ଯ୍ୟଟକମାନେ ସମୁଦ୍ର ଢ଼େଉରେ ଗାଧୋଇବା ସହିତ ନୌବିହାର ମଜା ନେଉଛନ୍ତି। ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସଙ୍ଗୀତ ନୃତ୍ୟର ଆସର ଜମି ଥିବାବେଳେ ହୋଟେଲ, ଲଜ୍‌, ରେସ୍ତୋରାଁରେ ପର୍ଯ୍ୟଟକଙ୍କ ଉତ୍ସାହ ପରିଲକ୍ଷିତ ହୋଇଛି। ସବୁଠି ବିଦ୍ୟୁତ ରଙ୍ଗୀନ ଆଲୋକ, ବେଲୁନ, ଆତସବାଜିରେ ନୂତନବର୍ଷର ମାହୋଲ ସୃଷ୍ଟି ହୋଇଛି।

Share