ନୂଆବର୍ଷରେ ବିବାହ କରିପାରନ୍ତି ପ୍ରଭାସ

ମୁମ୍ବାଇ: ବଲିଉଡ୍‌ର ବାହୁବଳୀ ତଥା ସାଉଥ୍‌ ଷ୍ଟାର ପ୍ରଭାସ ନିଜ ଦମଦାର ପରଫରମାନ୍ସ ପାଇଁ ଏବେ ଲକ୍ଷେ ଦିଲ୍‌ କି ଧଡକନ୍‌ ପାଲଟି ଯାଇଛନ୍ତି। ‘ଶାହୋ’ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସି ନ ଥିବାରୁ ଏବେ ସେ ବ୍ରେକ୍‌ ନେଇଛନ୍ତି ବୋଲି କୁହାଯାଉଛି। ଖୁବ୍‌ଶୀଘ୍ର ସେ ଫିଲ୍ମ ‘ଜାନ’ରେ ନଜର ଆସିବେ। ଏଥିରେ ପ୍ରଭାସଙ୍କ ସହ ପୂଜା ହେଗଡେଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ପ୍ରଭାସଙ୍କର ଅନ୍ୟ ଫିଲ୍ମ ଭଳି ଏହା ଏକ ହାଇ ବଜେଟ ଫିଲ୍ମବୋଲି କୁହାଯାଉଛି। ଏହାର ପ୍ରଥମ ସେଡ୍ୟୁଲ ଇଟାଲିରେ ସମ୍ପୂର୍ଣ୍ଣ କରାଯାଇଛି। ଏହାସହ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି। ନୂଆବର୍ଷରେ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ପ୍ରଭାସଙ୍କର ଜଣେ ଆଣ୍ଟି ଶ୍ୟାମଳାଦେବୀ ନିକଟରେ କହିଛନ୍ତି ପ୍ରଭାସଙ୍କ ବିବାହ ଖୁବ୍‌ଶୀଘ୍ର ହୋଇପାରେ। ତେବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଜାନ୍‌’ ରିଲିଜ୍‌ ହେବା ପରେ ପ୍ରଭାସ ବିବାହ କରିବେ ବୋଲି କୁହାଯାଉଛି। କିନ୍ତୁ ଶ୍ୟାମଳାଦେବୀ କହିଛନ୍ତି, ଆମର ବଡ ପରିବାର ହୋଇଥିବାରୁ ଆମେ ଏମିତି ଏକ ଝିଅ ଖୋଜୁଛୁ ଯିଏ ଆମ ପରିବାର ସହ ଭଲଭାବେ ମିଳିମିଶି ଚଳିପାରିବ। ବେଶ୍‌ କିଛିଦିନ ହେବ ଚର୍ଚ୍ଚା ହେଉଥିଲା କି ପ୍ରଭାସ ନାୟିକା ଅନୁଷ୍କା ସେଟ୍ଟୀଙ୍କୁ ଡେଟିଂ କରୁଛନ୍ତି ଓ ତାଙ୍କୁ ବିବାହ କରିବେ। ଆଲୋଚନା ହେଉଥିଲା କି ଅନୁଷ୍କା-ପ୍ରଭାସଙ୍କ ବିବାହ ‘ଶାହୋ’ ଫିଲ୍ମ ରିଲିଜ୍‌ ପରେ ହେବ। ଏହାପରେ ପୁଣିଥରେ ଶୁଣିବାକୁ ମିଳିଥିଲା ଡିସେମ୍ବରରେ ଏମାନେ ବିବାହ କରିପାରନ୍ତି। ହେଲେ ଏସବୁ ସମୟ ଅତିକ୍ରମ କରିଯାଇଥିବା ବେଳେ ଏବେ ଶୁଣିବାକୁ ମିଳିଛି କି ’ଜାନ୍‌’ ରିଲିଜ୍‌ ହେବା ପରେ ପ୍ରଭାସ ବିବାହ କରିପାରନ୍ତି। ହେଲେ ସେ କାହାକୁ ବିବାହ କରିବେ ତାହା ସ୍ପଷ୍ଟ ହୋଇ ନାହିଁ।

Share