ନୂଆବର୍ଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧ରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବ। ୧ ତାରିଖରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ ଜିଲାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨ ଓ ୩ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। କେତେକ ସ୍ଥାନରେ କୁଆପଥର ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ କମ୍‌ ରହିବ ବୋଲି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ। ଅନ୍ୟପକ୍ଷରେ ଶନିବାର ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ରବିବାର ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ସୋନପୁର ପୁଣି ଥରେ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଶନିବାର ସୋନପୁରର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିବା ବେଳେ ରବିବାର ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

Share