ନୂଆବର୍ଷରେ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ମଦଦୋକାନ: ମଦ ପିଇ ଗାଡ଼ି ଚଲାଇଲେ ଫାଇନ୍‌ କାଟିବ ପୋଲିସ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ନୂଆବର୍ଷକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ନୂଆବର୍ଷ ରାତି ଗୋଟାଏ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳ, ଭୁବନେଶ୍ୱର ଏବଂ ପୁରୀ ପୌରାଞ୍ଚଳରେ ମଦ ଦୋକାନ ଖୋଲା ରହିବ। ଅବକାରୀ ଆଇନ-୨୦୦୮ ଧାରା ୯୩ ଅନୁଯାୟୀ ମଦ ଦୋକାନୀ ମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରି ଲାଗି ଅନୁମତି ମିଳିଛି। ଲୋକଙ୍କୁ ଇଚ୍ଛାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ଉଭୟ ମଦବ୍ୟବସାୟୀ ଏବଂ ମଦପ୍ରେମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ମଦ ଦୋକାନୀମାନେ ସରକାରଙ୍କ ଏହିି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ନୂଆବର୍ଷ ରାତିରେ ବ୍ୟବସାୟ ଭଲ ହେବ ବୋଲି ଆଶା ରଖିଛନ୍ତି।
ଅନ୍ୟପଟରେ ମଦୁଆ ଗାଡ଼ି ଚାଳକଙ୍କୁ ଧରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଇଛି। ନୂଆବର୍ଷ ଦିନ ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ମଦ ପିଇ ଗାଡ଼ି ଚଲାଇଲେ, ଗଣ୍ଡଗୋଳ କଲେ ଏବଂ ଦ୍ରୁତ ଗତିରେ ଗାଡ଼ି ଚଲାଇଲେ ପୋଲିସ ସେମାନଙ୍କୁ ଗିରଫ କରିବ। ଏପରି କି ଡିସିପି ଏବଂ ଅତିରିକ୍ତ ଡିସିପି ରାଜଧାନୀର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବେ। ଏହାସହ ବିଭିନ୍ନ ଛକରେ ବ୍ଲକିଂ ଏବଂ ଚେକିଂ କରାଯିବ। କଳିଙ୍ଗସେନା ଏବଂ ବଜରଙ୍ଗ ଦଳ ପକ୍ଷରୁ ହୋଟେଲ, କ୍ଲବ ଓ ପବ୍‌ରେ ଅଶ୍ଲୀଳ ନୃତ୍ୟକୁ ବିରୋଧ କରାଯାଇଛି। ଯେଉଁଠି ଅଶ୍ଲୀଳ ନୃତ୍ୟ ଚାଲୁଥିବ, ସେଠାରେ କଳିଙ୍ଗସେନା ପକ୍ଷରୁ ଚଢ଼ାଉ କରାଯାଇ ତାଣ୍ଡବ ନୃତ୍ୟ କରାଯିବ ବୋଲି କୁହାଯାଇଛି। ଏହାକୁ ଦୁଷ୍ଟିରେ ରଖି ହୋଟେଲ ମାଲିକମାନେ ଡିସିପିଙ୍କ ନିକଟରେ ସୁରକ୍ଷା ଲୋଡ଼ିଛନ୍ତି। ଏନେଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

Share