Categories: ଭଦ୍ରକ

ନୂଆବାଟ ଦେଖାଇଛି ଫୁଲ ବେପାର

ବାସୁଦେବପୁର,୧୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବଜାରରେ କେତେକ ଯୁବକ ଫୁଲ ବ୍ୟବସାୟକୁ ଜୀବିକା ରୂପେ ଆପଣାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ବ୍ୟବସାୟ ଦ୍ୱାରା ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏହିଭଳି ଜଣେ ଯୁବ ଫୁଲ ବ୍ୟବସାୟୀ ହେଲେ ବାସୁଦେବପୁର ପୌରପାଳିକା ଉଚ୍ଚଡିହା ଗ୍ରାମର ବାସୁଦେବ ବାରିକ ଓରଫ୍‌ ବାପି(୨୭)। ବାସୁଦେବପୁର ବ୍ଲକରୋଡ୍‌ର ବ୍ଲକ ସାମ୍ନାରେ ଫୁଲ ଦୋକାନ ଦେଇଛନ୍ତି। ଫୁଲ ବ୍ୟବସାୟ ତାଙ୍କୁ ନୂଆବାଟ ଦେଖାଇବା ସହ ଆତ୍ମନିର୍ଭରଶୀଳ କରିଛି। ଯେକୌଣସି କାମ ହେଉ ଆନ୍ତରିକତା ରଖି କାର୍ଯ୍ୟ କଲେ ସଫଳ ହେବା ସହ କାହାରି ପେଟ ଅପୋଷା ରହିବ ନାହିଁ ବୋଲି ସେ କହିଛନ୍ତି।
ବାସୁଦେବ କହନ୍ତି, ପରିବାରର ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ମାଟ୍ରିକ ପରେ ପାଠପଢ଼ାରେ ଡୋରି ବନ୍ଧା ହେଲା। ପରିବାର ଚଳାଇବା ପାଇଁ ସେ ବାସୁଦେବପୁର ସହରରେ ଥିବା ଏକ ଫୁଲ ଦୋକାନରେ କର୍ମଚାରୀ ଭାବେ କାମ ଆରମ୍ଭ କରିଥିଲେ। ସେତେବେଳେ ମାସିକ ବେତନ ଥିଲା ୬ ହଜାର ଟଙ୍କା। ଉକ୍ତ ଦୋକାନରେ ସେ ୬ ବର୍ଷ କାମ କରି ଫୁଲ ବେପାର, ଗାଡ଼ିସଜା, ଫୁଲବନ୍ଧା ସମ୍ପର୍କରେ କୌଶଳ ଶିଖିଥିଲେ। ପରେ ନିଜେ ଏକ ଦୋକାନ କରିବାକୁ ସ୍ଥିର କରିଥିଲେ। ଜଣେ ପଡ଼ୋଶୀଙ୍କଠାରୁ ୫ହଜାର ଟଙ୍କା ଧାର ଆଣି କଲିକତାରୁ ଫୁଲ ଆଣି ଏକ ଗୁମୁଟି ଘରେ ବ୍ୟବସାୟ ଆରମ୍ଭ କରିଥିଲେ। ଦୀର୍ଘ ୭ ବର୍ଷ ପରେ ଜଣେ ସଫଳ ଫୁଲ ବ୍ୟବସାୟୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ବ୍ୟବସାୟରୁ ମାସିକ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲାଭ କମାଉଛନ୍ତି। ଏଥିରେ ସେ ତାଙ୍କ ପରିବାର ଚଳାଇଥାନ୍ତି। ସ୍ତ୍ରୀ, ୫ ବର୍ଷର ପୁଅ ସମେତ ମା’, ଭାଇ, ଭାଉଜ ଓ ପୁତୁରାଙ୍କୁ ତାଙ୍କ ପରିବାର। ବିଶେଷକରି ବିବାହ ବ୍ରତ, ପର୍ବପର୍ବାଣି ଓ ସଭାସମିତି ବେଳେ ଫୁଲର ଅଧିକ ଚାହିଦା ଥିବାରୁ ଏହି ସମୟରେ ଅଧିକ ଲାଭ ହୋଇଥାଏ। ଫୁଲ ବେପାର କରିବା ପାଇଁ ବ୍ୟବସାୟୀମାନଙ୍କୁ କଲିକତା ଫୁଲ ବଜାର ଉପରେ ନିର୍ଭର କରିବାକୁ ପଡୁଛି। ବାସୁଦେବପୁର ଭଳି ଉର୍ବର ସମତଳ ମାଟିରେ ଫୁଲଚାଷର ଭିତ୍ତିଭୂମିକୁ ସଜଡ଼ା ଯାଇ ପାରିଲେ ବ୍ୟବସାୟୀମାନେ ଉପକୃତ ହେବା ସହ ଫୁଲର ଚାହିଦା ବଢ଼ନ୍ତା ଓ କମ୍‌ ଦରରେ ମିଳିପାରନ୍ତା ବୋଲି ସେ କହିଛନ୍ତି।