ନୂଆ ଆଇନ ଲାଗୁ ପରେ ଦୁର୍ଘଟଣା କମିଛି

ଭଞ୍ଜନଗର,୧୩।୯(ଡି.ଏନ.ଏ.)- ନୂଆ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁହାର ବହୁତ କମିଛି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ନୂଆ ଆଇନକୁ ୩ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ ବ୍ୟସ୍ତ ନହୋଇ ଗାଡ଼ିର ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିନିଅନ୍ତୁ। ହେଲ୍‌ମେଟ୍‌ ଏବଂ ସିଟ୍‌ ବେଲ୍ଟ ବ୍ୟବହାର କରି ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ। ସ୍କୁଲ ଅଟୋ ସମେତ ବିଭିନ୍ନ ଗାଡ଼ିରେ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ କରାଯାଉଛି। ଯଦି ପ୍ରଶାସନ ନଜରକୁ ଆସେ ତେବେ ସମ୍ପୃକ୍ତ ଗାଡ଼ି ଚାଳକ ଏବଂ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜନସାଧାରଣଙ୍କ ହିତକୁ ଦେଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଉଛି। ତେଣୁ ସମସ୍ତଙ୍କ ସହଯୋଗ ଲୋଡ଼ା। ନିଶାସକ୍ତ ଗାଡ଼ି ଚାଳକ, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର, ବିନା ହେଲମେଟ୍‌ରେ ଯାତାୟାତ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନୂଆ ଆଇନ ଲାଗୁପରେ ଭଞ୍ଜନଗର ଉପଖଣ୍ଡର କୌଣସି ପେଟ୍ରୋଲ ଟାଙ୍କିରେ ଜଣେ ମଧ୍ୟ ବାଇକ୍‌ ଚାଳକଙ୍କୁ ବିନା ହେଲ୍‌ମେଟ୍‌ରେ ପେଟ୍ରୋଲ ଦିଆଯାଇନାହିଁ। ଚେରମାରିଆ, ଖଡ଼ଭାଗ, ଝଗଡ଼େଇ, ଦେଓଭୂମି ପ୍ରମୁଖ ସ୍ଥାନରେ ଥିବା ହମ୍ପ୍ସ ସମସ୍ୟାକୁ ଦୂର କରାଯାଇଛି। ଟ୍ରାଫିକ୍‌ ସମେତ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଠା ଚାଲିଛି। ସ୍ଥାନୀୟ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ଅପରାହ୍ନରେ ନୂଆ ମୋଟର ଯାନ ଆଇନ ଲାଗୁପରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବକ୍ତାମାନେ ତାହା ମତବ୍ୟକ୍ତ କରିଥିଲେ। ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଆର୍‌ଟିଓ ଶୁଭେନ୍ଦୁ ରୟ, ବିଇଓ ଏସ୍‌. ଧନଞ୍ଜୟ, ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ଲିଙ୍ଗରାଜ ବେହେରା, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁ, ଜାତୀୟ ରାଜପଥ ସହକାରୀ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ସେଠୀ, ପେଟ୍ରୋଲ ପମ୍ପ ମାଲିକ ସୁନୀଲ ପଟ୍ଟନାୟକ, ଘରୋଇ ବସ୍‌ ମାଲିକ ସଂଘ, ଅଟୋ ଚାଳକ ସଂଘର କର୍ମକର୍ତ୍ତାମାନେ ବୈଠକରେ ଯୋଗ ଦେଇଥିଲେ।