ନୂଆ ଆବେଦନକାରୀଙ୍କୁ ମିଳୁନାହିଁ ରାଶନ କାର୍ଡ, ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବହୁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। କମ୍ପ୍ୟୁଟର ଖୋଲୁ ନ ଥିବାରୁ ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯାଇପାରୁନାହିଁ। ଗାଁ ଗଣ୍ଡାକୁ ଗଲେ ଲୋକମାନେ ଆମ ନିକଟକୁ ଆସି ଅଭିଯୋଗ କରୁଛନ୍ତି। ଆବେଦନ କରିଥିବା ଲୋକମାନଙ୍କୁ କେବେ ସୁଦ୍ଧା କାର୍ଡ ଯୋଗାଇ ଦିଆଯିବ ସେନେଇ ଉଭୟ ଶାସକ ଓ ବିରୋଧୀ ଦଳର ସଭ୍ୟମାନେ ମନ୍ତ୍ରୀଙ୍କଠାରୁ ଜବାବ ତଲବ କରିଥିଲେ। ଏହାକୁ ନେଇ ବୁଧବାର ପ୍ରଶ୍ନୋତ୍ତର କାଳରେ ହଙ୍ଗାମା ହୋଇଥିଲା। ମନ୍ତ୍ରୀ କହିଥିଲେ ଯେ, ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ତାଲିକାଭୁକ୍ତ କରିବା ଲାଗି ରାଜ୍ୟରେ ୩୭୭ଟି ରାଶନ କାର୍ଡ ପରିଚାଳନା କେନ୍ଦ୍ର କାର୍ଯ୍ୟକାରୀ ହେଉଛି। ଏହା ଏକ ନିରନ୍ତର ପ୍ରକ୍ରିୟା। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ଲାଗି ୧୧ଟି ଇନ୍‌କ୍ଲୁଜନ୍‌ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ୯ଟି ଏକ୍ସକ୍ଲୁଜନ୍‌ କ୍ରାଇଟେରିଆ ରହିଛି।

Share