Categories: ଖେଳ

ନୂଆ ଉପାୟରେ ଗ୍ରୀଷ୍ମ ପ୍ରବାହକୁ ରୋକିବେ ଟୋକିଓ ଅଲିମ୍ପିକ୍ସ ଆୟୋଜକ

ଟୋକିଓ,୧୩।୯(ଏଏଫ୍‌ପି) : ଟୋକିଓ ୨୦୨୦ ଅଲିମ୍ପିକ୍ସ ଆୟୋଜକମାନେ ଇଭେଣ୍ଟବେଳେ ଗ୍ରୀଷ୍ମ ପ୍ରବାହକୁ ରୋକିବା ପାଇଁ କୃତ୍ରିମ ବରଫ ବର୍ଷା କରାଇବା ପାଇଁ ଯୋଜନା କରିଛନ୍ତି। କନୋଇଂ ଟେଷ୍ଟ ଇଭେଣ୍ଟରେ ବରଫ ବର୍ଷା ପରୀକ୍ଷା କରାଯାଇଛି। ଗତ କିଛି ସପ୍ତାହ ହେଲା ଦେଶରେ ପ୍ରବଳ ଗରମ ସହ ହ୍ୟୁମିଡିଟି ମଧ୍ୟ ଅଧିକ ରହିଛି। ହେଲେ ଶୁକ୍ରବାର ଜାପାନ ରାଜଧାନୀରେ ତାପମାତ୍ରା ହ୍ରାସ ପାଇଛି। ଏହା ଟୋକିଓବାସୀଙ୍କ ସହ ଆଗାମୀ ରଗ୍‌ବୀ ବିଶ୍ୱକପ୍‌ ଲାଗି ପ୍ରସ୍ତୁତ ହେଉଥିବା ଖେଳାଳିଙ୍କୁ ଆଶ୍ୱସ୍ତି ଦେଇଛି। ଅତ୍ୟଧିକ ଗରମ ପ୍ରବାହକୁ ରୋକିବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ ବୋଲି ୨୦୨୦ ଆୟୋଜକ କମିଟିର ଟାକା ଓକୁମୁରା କହିଛନ୍ତି। ତେବେ କୃତ୍ରିମ ବରଫ ବର୍ଷା ଦ୍ୱାରା ପୂରା ପରିବେଶକୁ ଥଣ୍ଡା କରିହେବ ନାହିଁ। କିନ୍ତୁ ଉପସ୍ଥିତ ଦର୍ଶକ ଓ ଆଥ୍‌ଲେଟ ରିଫ୍ରେସ ହୋଇପାରିବେ ବୋଲି ସେ କହିଛନ୍ତି। ଏଥିନେଇ ଗେମ୍‌ର ବଜେଟ ବୃଦ୍ଧି ପାଇବ। ଆୟୋଜକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଟୋକିଓ ଆୟୋଜକଙ୍କୁ ନିକଟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବେକ ଭୂୟସି ପ୍ରଶଂସା କରି କହିଥିଲେ, ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଥିବାବେଳେ ଟୋକିଓ ଅଧିକ ପ୍ରସ୍ତୁତ ଅଛି। କିନ୍ତୁ ଅତ୍ୟଧିକ ଗରମ ଆୟୋଜକଙ୍କ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ହେଉଛି, ଅଲିମ୍ପିକ୍ସ ଇଭେଣ୍ଟବେଳେ ହେଲେ ଆଥଲେଟ, ଦର୍ଶକ ଓ ଭଲୁଣ୍ଟରଙ୍କ ସମସ୍ୟା ବଢ଼ିପାରେ।

Share