ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’: ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା

ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’ର ଶୁଟିଂ ଚାଲୁରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ ଝିଅକୁ ବିବାହ ପରେ ସେ କୋଟିପତି ହେବାର ସ୍ବପ୍ନ ଦେଖେ। ଠିକ୍‌ ସେତିକିବେଳେ ତା’ ଜୀବନ ରାସ୍ତାରେ ପାଦ ଦିଏ ରୂପସୀ ଆରାଧନା। ଆଉ ତା’ପରେ? କୋଟିପତି ହେବାକୁ ସେ ଆରାଧନାକୁ ଆପଣେଇ ନିଏ କି? ବିବାହ ପରେ ଏପରି ସମ୍ପର୍କ ବିଷୟରେ ପ୍ରେମାର ପତ୍ନୀ ଜାଣିବା ପରେ ସେମାନଙ୍କ ବୈବାହିକ ଜୀବନ କିପରି କଟେ? ଏ ସବୁ ପ୍ରଶ୍ନର ଉତ୍ତର ରହିଛି ନିର୍ମାଣାଧୀନ ସିନେମାରେ। ଫିଲ୍ମଟିର ପ୍ରଯୋଜନା କରୁଛନ୍ତି ସୁରେନ୍ଦ୍ର ନାରାୟଣ ପ୍ରଧାନ ଏବଂ ନବନୀତା ମିଶ୍ର। ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ଆଗଧାଡ଼ିର ନିର୍ଦ୍ଦେଶକ ସୁଧାଂଶୁ ସାହୁ। ଡ. ନିର୍ମଳ ନାୟକଙ୍କ ରଚିତ ପାଞ୍ଚୋଟି ଗୀତକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଚଳଚ୍ଚିତ୍ରର ନାୟକ (ପ୍ରେମା) ଭାବରେ ପ୍ରଦୀପ ଦତ୍ତ ଅଭିନୟ କରୁଥିବା ବେଳେ ତାଙ୍କ ନାୟିକା ସାଜିଛନ୍ତି ଦିବ୍ୟା। ଏମାନଙ୍କ ବ୍ୟତୀତ ଲିପିକା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ସ୍ନିଗ୍‌ଧା ମହାନ୍ତି ଏବଂ ଗୁଡ୍ଡୁ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।

Share